
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର କୋଶଳ କଳା ମଣ୍ଡଳ ପଡ଼ିଆରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ପକ୍ଷରୁ ୧୦୧ତମ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦୦ରୁ ଅଧିକ ସ୍ୱୟଂସେବକ ଯୋଗଦେଇ ଭବ୍ୟ ପଥ ସଞ୍ଚଳନ କରିଥିଲେ । ପରେ ଆୟୋଜିତ ସଭାରେ ସଂଘର ଆଦର୍ଶ, ଶୃଙ୍ଖଳା ଓ ବ୍ୟକ୍ତିତ୍ୱ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଅପରାହ୍ନ ୨ଟା ୩୦ ମିନିଟରେ କଦମପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ପଥ ସଞ୍ଚଳନ ଆରମ୍ଭ ହୋଇ ଅପରାହ୍ନ ୩ଟା ୩୦ ମିନିଟରେ କୋଶଳ କଳା ମଣ୍ଡଳ ପଡ଼ିଆରେ ପହଞ୍ଚିଥିଲା । ଏଥିରେ ଚାରିଟି ସ୍ୱୟଂସେବକ ବାହିନୀ, ଦୁଇଟି ଘୋଷ ବାହିନୀ, ଗୋଟିଏ ବାଇକ୍ ବାହିନୀ ଓ ଗୋଟିଏ ରଥ ସାମିଲ ହୋଇଥିଲା । ହରେକୃଷ୍ଣ ରଣା ମୁଖ୍ୟ ଶିକ୍ଷକ ଦାୟିତ୍ୱ ତୁଳାଇଥିବା ବେଳେ ଦୀପକ ପୁଟେଲ ଓ ରୋଶନ ସାହୁ ଘୋଷ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ପଥ ସଞ୍ଚଳନ ପରେ ଜିଲ୍ଲା କାର୍ଯ୍ୟବାହ ସୁଶାନ୍ତ କୁମାର ନାଏକଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ଛତ୍ରଧାରୀ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଭାଗ ସଂଘଚାଳକ ଯତୀନ୍ଦ୍ରମୋହନ ପାଠୀ ଓ ଜିଲ୍ଲା ସଂଘଚାଳକ ପ୍ରଭାକର ପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା ଯୋଗଦେଇ ବ୍ୟକ୍ତି ନିର୍ମାଣ ହିଁ ସଂଘର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ରାଧାମାଧବ ବେହେରା ବ୍ୟକ୍ତିଗତ ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ଥ ସ୍ୱାମୀ ପରମାନନ୍ଦ ସରସ୍ୱତୀ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଶ୍ରୀବତ୍ସ ବେହେରା, ଆର୍ଏସ୍ଏସ୍ର ରାଜ୍ୟ ସମ୍ପର୍କ ପ୍ରମୁଖ ତଥା ବରିଷ୍ଠ ଆଇନଜୀବୀ କମ୍ବୁପାଣି ପାଢ଼ୀ ଓ ବିଭାଗ କାର୍ଯ୍ୟବାହ ଦିଲ୍ଲୀପ ସାହୁଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ । ଶେଷରେ ବୀରକିଶୋର ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଶୃଙ୍ଖଳିତ ପଥ ସଞ୍ଚଳନ ଓ ସଭା ମାଧ୍ୟମରେ ଆର୍ଏସ୍ଏସ୍ର ବିଜୟା ଦଶମୀ ଉତ୍ସବ ସମ୍ପନ୍ନ ହୋଇଥିଲା ।