pakka

ଭୁବନେଶ୍ୱରଠାରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

bbehera
  • ଅଟଳ ଟିଙ୍କରିଂ ଲ୍ୟାବ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତି ବଢ଼ାଇବ- ଧର୍ମେନ୍ଦ୍ର ପ୍ରଧାନ
    • ଛାତ୍ରଛାତ୍ରୀଙ୍କୁ ପରାମର୍ଶ, ବୈଜ୍ଞାନିକ ଡ଼.ଏପିଜେ ଅବଦୁଲ କଲାମଙ୍କ ପରି ସ୍ୱପ୍ନ ଦେଖ
    • ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା
    • ବିଦ୍ୟାଳୟ ମାନଙ୍କରେ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷାଦାନ ପାଇଁ ଭର୍ଚ୍ଚୁଆଲ ଲାବ୍ରୋଟୋରୀର ବ୍ୟବସ୍ଥା କରାଯିବ
    • ୬ ବର୍ଷରୁ ୧୨ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କ କଳ୍ପନା

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ବଢ଼ାଇବା ପାଇଁ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଅଟଳ ଟିଙ୍କରିଂ ଲ୍ୟାବ୍‌ ପ୍ରତିଷ୍ଠା କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ୟୁନିଟ୍‌ -୩ ସ୍ଥିତ ଓଡ଼ିଶାର ସର୍ବପୁରାତନ ଶିଶୁ ବିଦ୍ୟା ମନ୍ଦିରରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଶତାବ୍ଦୀ । ଏହି ସମୟରେ ନୂଆପିଢିର ଛାତ୍ରଛାତ୍ରୀମାନେ ଦେଶର ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ସ୍ୱର୍ଗତ ଡ଼.ଏପିଜେ ଅବଦୁଲ କଲାମଙ୍କ ପରି ବାଲ୍ୟକାଳରୁ ଦେଶ ପାଇଁ ସ୍ୱପ୍ନ ଦେଖିବା ଦରକାର । ବର୍ତମାନର ଅଧୁନିକ ସମୟରେ ୬ ବର୍ଷରୁ ୧୨ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କ କଳ୍ପନା ରହିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ ମାନଙ୍କରେ ବୈଜ୍ଞାନିକ ପଦ୍ଧତିରେ ଶିକ୍ଷାଦାନ ପାଇଁ ଭର୍ଚ୍ଚୁଆଲ ଲାବ୍ରୋଟୋରୀର ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀଙ୍କୁ ଉଦ୍ୟମୀ କରିବା ଓ ନବସୃଜନ ପ୍ରତି ପ୍ରୋତ୍ସାହିତ କରିବା ପାଇଁ ଅଟଳ ଟିଙ୍କରି ଲ୍ୟାବ୍‌ ଏକ ବଡ଼ ପଦକ୍ଷେପ ।
ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ୩ ବର୍ଷରୁ ୨୩ ବର୍ଷ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ବାଲବାଟିକା ଠାରୁ ଗବେଷକ ହେବା ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଆଯାଇଛି । ନୂଆପିଢ଼ିଙ୍କୁ ଭାରତୀୟତା ଆଧାରରେ ଯୋଡ଼ିବା, ଭାରତୀୟ ଭାଷାକୁ ପ୍ରୋତ୍ସାହନ ଓ ଗୁଣାତ୍ମକ ଶିକ୍ଷା ସହ ରୋଜଗାର ଦେବା ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ।
ରାଜଧାନୀର ଏହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋକଙ୍କ ଦାୟିତ୍ୱରେ ଆଜି ଏକ ବଡ଼ ଅନୁଷ୍ଠାନରେ ପରିଣତ ହୋଇଛି । ଭାରତ ସରକାରଙ୍କ ନୀତି ଆୟୋଗ ଯୋଜନା ଅନ୍ତର୍ଗତ ଏହି ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା ହେବା ଆନନ୍ଦର ବିଷୟ । ଏହି ପଦକ୍ଷେପ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତିକୁ ଉଜ୍ଜିବୀତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ, ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍କୁଲର ଲ୍ୟାବ୍‌ କକ୍ଷ ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଅଭିନବ ଉପକରଣକୁ ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

four × four =