pakka

ମୋବାଇଲ ଫୋନର କରାମତି : ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ଟିକାବାଲି ପୁଲିସ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ୫ ଜଣ ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଡକାୟତ ଗ୍ୟାଙ୍ଗକୁ ସେମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ଧରାଇଦେଇଛି । ମୋବାଇଲ ଫୋନକୁ ଟ୍ରାକ କରି ପୁଲିସ ସେମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହା ସହିତ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଗହଣା ସହିତ ଗୋଟିଏ ମୋବାଇଲ ଫୋନକୁ ଟିକାବାଲି ପୁଲିସ ଜବତ କରିଛି । ଗିରଫ ଡକାୟତ ହେଲେ ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ ଓ ଦାରିଙ୍ଗିବାଡି ଅଞ୍ଚଳର କୃପାକର ମୁଖୀ ଓ ଟିକାବାଲି କଇଁଝର ଅଞ୍ଚଳର ସଞ୍ଜୟ କୁମାର ମଳିକ । ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମର ପ୍ରଶାନ୍ତ ପାତ୍ରଙ୍କ ଘରୁ ଗତ ଏପ୍ରିଲ ୨୩ ତାରିଖ ମଧ୍ୟ ରାତ୍ରିରେ ୭ରୁ ଅଧିକ ଡକାୟତ ପଶି ଖେଳନା ବନ୍ଧୁକ ଦେଖାଇ ଓ ମାଡ଼ ମାରି ବହୁ ସୁନା ଗହଣା, ମୋବାଇଲ, ଟାବଲେଟ ଲୁଟି ନେଇଥିଲେ । ଏନେଇ ୨୪ ଏପ୍ରିଲରେ ଟିକାବାଲି ଥାନାରେ ଏତଲା ଦିଆଯିବା ପରେ ପୁଲିସ ପକ୍ଷରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଟ୍ରାକିଂ କରି ଡକାୟତଙ୍କ ପିଛା କରିବା ଆରମ୍ଭ କରିଥିଲା ପୁଲିସ । ଏହାପରେ ଜଣ ଜଣ କରି ପୁଲିସ ୫ ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରୁ ୨୦ ଗ୍ରାମ ସୁନା ଗହଣା, ଗୋଟିଏ ମୋବାଇଲ ଫୋନ, ଦୁଇଟି ବାଇକ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଓ ଘୁ.ଉଦୟଗିରି ଏସ୍‌ଡ଼ିପିଓ ଡ଼ି.ଟି.ଆର୍‌.ପଟ୍ଟନାୟକ ପ୍ରକାଶ କରିଛନ୍ତି । ଦୀର୍ଘ ୧୮ ଦିନ ଧରି ଏହି ଅଭିଯୁକ୍ତ ମାନଙ୍କୁ ଖୋଜି ଖୋଜି ଶେଷରେ ଦାରିଙ୍ଗିବାଡ଼ି ଥାନା ଅଧିକାରୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ସହଯୋଗରେ ଏହି ଅଭିଯୁକ୍ତମାନଙ୍କୁ କାବୁ କରିଥିଲା ଟିକାବାଲି ପୁଲିସ । ଏହି ଘଟଣାରେ ଆଉ ଦୁଇ ଜଣ ଫେରାର ରହିଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ସେମାନଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସଫଳ ହେବ ବୋଲି ଏସଡ଼ିପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

1 × one =