ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଝାରତରଭାକୁ ଗଡିଲା ଟ୍ରେନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଖୋର୍ଦ୍ଧା ରେଳପଥରେ ଆଉ ଟିକିଏ ଆଗକୁ ଗଡିଛି ଟ୍ରେନ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ହାୱାର୍ଡକୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ସହିତ ବଲାଙ୍ଗିର-ଖୋର୍ଦ୍ଧାରୋଡର ବିଛୁପାଲିରୁ ଝାରତରଭା ପର୍ଯ୍ୟନ୍ତ ରେଳଲାଇନର ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏଣିକି ବଲାଙ୍ଗିରଠାରୁ ତରଭା ନିକଟସ୍ଥ ଝାରତରଭା ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ ଗଡିବ । ସେହିପରି ଟିଟିଲାଗଡରୁ ସମ୍ବଲପୁରକୁ ହୋଇଥିବା ଡବଲଲେନ ରେଳଲାଇନକୁ ଉଦ୍‌ଘାଟନ କରିଥିଲେ । ଆଜି ବଲାଙ୍ଗିର ଓ ବିଛୁପାଲି ରେଳ ଷ୍ଟେସନଠାରେ ସେଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ଡିଆର୍‌ଏମ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତାକୁମାରୀ ସିଂହଦେଓ ଓ ସମ୍ମାନୀତ ଅତିଥି ଭାବରେ ରାଜ୍ୟସଭା ସାଂସାଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ । ଉଭୟ ସାଂସଦ ଓଡିଶାରେ ଆରମ୍ଭ ହୋଇଥିବା ବନ୍ଦେଭାରତ ଟ୍ରେନକୁ ସ୍ୱାଗତ କରିଥିଲେ । ସାଂସଦ ନିରଂଜନ ବିଶି ତାଙ୍କ ବକ୍ତବ୍ୟରେ ବଲାଙ୍ଗିର ଜିଲ୍ଲାର ଲୋକଙ୍କ ପାଇଁ ପ୍ରୟାଗରାଜକୁ ଯିବାକୁ ତଥା ବଲାଙ୍ଗିରରୁ ଦିଲ୍ଲୀକୁ ସିଧାସଳଖ ଟ୍ରେନ ଚଳାଚଳ କରାଇବା, ବଲାଙ୍ଗିର-ନୂଆପଡା ଭାୟା ପାଟଣାଗଡ ନୂଆ ରେଳପଥକୁ ଆରମ୍ଭ କରିବା ଇତ୍ୟାଦି ଦାବୀଗୁଡିକୁ ନେଇ ରେଳମନ୍ତ୍ରୀଙ୍କୁ ଦାବୀପତ୍ର ଦେଇ ଆଲୋଚନା କରିଥିବା କହିଥିଲେ । ସେହିପରି ଲୋକସଭା ସାଂସଦ ଶ୍ରୀମତୀ ସିଂହଦେଓ ତାଙ୍କ ବକ୍ତବ୍ୟରେ ଟିଟିଲାଗଡ-ସମ୍ବଲପୁର ରେଳପଥ ଦୋହରୀକରଣ ଓ ବିଦ୍ୟୁତିକରଣ ଫଳରେ ଯାତ୍ରୀଙ୍କ ପାଇଁ ବହୁତ ସୁବିଧା ହୋଇଛି । ବଲାଙ୍ଗିର, ଟିଟିଲାଗଡ, କଣ୍ଟାବାଞ୍ଜି ଓ ହରିଶଙ୍କରରୋଡକୁ ବିଶ୍ୱସ୍ତରୀୟ ରେଳଷ୍ଟେସନ କରିବାକୁ କାମ ଆରମ୍ଭ ହୋଇଥିବା ବିଷୟରେ କହିଥିଲେ । ଠିକ୍‌ ସେହିପରି ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ଦିନକୁ ଦିନ ଆଗକୁ ଆଗକୁ ଟ୍ରେନ ଗଡିଚାଲିଛି । ଖୁବ ଶୀଘ୍ର ଏହି ପ୍ରକଳ୍ପରେ ଲୋକମାନେ ଲାଭାନ୍ୱିତ ହେବେ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ଉଦ୍‌ଘୋଷିକା ଐଶ୍ୱର୍ଯ୍ୟା ଦାସ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଳବିଭାଗର ସମସ୍ତ କର୍ମଚାରୀ, ବଲାଙ୍ଗିର ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ଡିଜିଟାଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଦର୍ଶକମାନେ ଦେଖିଥିଲେ ।

Leave A Reply

Your email address will not be published.

4 × 2 =