ppurohit

ଖପ୍ରାଖୋଲ ଠିପିବନ୍ଦ ବିଦେଶୀ ମଦ ଦୋକାନରେ ଗଣ୍ଡଗୋଳ ଅଭିଯୋଗ : ମଦ ବିକ୍ରେତାଙ୍କୁ ଠେଙ୍ଗାରେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

2nd

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସ୍ଥିତ ଠିପିବନ୍ଦ ବିଦେଶୀ ମଦ ଦୋକାନରେ ରବିବାର ଅପରାହ୍ନ ସମୟରେ ମଦ ବିକ୍ରେତାଙ୍କୁ ତିନିଜଣ ଯୁବକ ଠେଙ୍ଗାରେ ଆକ୍ରମଣ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ରବିବାର ଅପରାହ୍ନ ୪ଟା ବେଳେ କିଛି ଯୁବକ ମଦ କିଣିବାକୁ ଆସିଥିଲେ । ମଦ କିଣି ସାରିଲା ପରେ ପାଖରେ ଥିବା କୌଣସି ସ୍ଥାନରେ ମଦ ପିଇ ପୁଣି ମଦ କିଣିବାକୁ ଆସି ବିନା ଟଙ୍କାରେ ମଦ ମାଗିଥିଲେ । ପରେ ଅଳ୍ପ ଦାମ ଦେଇ ମଦ ନେବାକୁ ଚେଷ୍ଟା କରିଥିଲେ । ଦୋକାନ କାଉଣ୍ଟରରେ ଥିବା ଗୋପାଲ ପ୍ରସାଦ ପୁରା ଟଙ୍କା ମାଗିବାରୁ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ । ଏସବୁ ଦେଖି ଦୋକାନର ମେନେଜର ନିଜ କର୍ମଚାରୀଙ୍କୁ ବଞ୍ଚାଇବାକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ । ଏସବୁ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡିଛି । ଏନେଇ ମଦ ଦୋକାନ ମ୍ୟାନେଜର ଧୀରେନ୍ଦ୍ର ଖପ୍ରାଖୋଲ ଥାନାକୁ ଫୋନ କରି ଘଟଣା ବିଷୟରେ ଜଣାଇ ଥିଲେ । ଘଟଣା ବିଷୟରେ ଖବର ପାଇ ଖପ୍ରାଖୋଲ ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଗୁରୁତର ଆହତ ହୋଇଥିବା ଗୋପାଲ ପ୍ରସାଦଙ୍କୁ ଖପ୍ରାଖୋଲ ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା ପରେ ପାଟଣାଗଡ଼ ଡାକ୍ତରଖାନାକୁ ଓ ପରେ ବୁର୍ଲା ସ୍ଥିତ ବିକାଶ ବିନାୟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁରୁତର ବ୍ୟକ୍ତି ଜଣକ ୧୨ ଘଣ୍ଟାରୁ ଅଧିକ ସମୟ ଚେତାଶୂନ୍ୟ ହୋଇ ରହିବା ପରେ ଆଜି ତାଙ୍କ ଅସ୍ତ୍ରୋପଚାର ଚାଲିଥିବା ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୬୦/୨୦୨୩ରେ ଏକ ମାମଲା ଋଜୁ କରି ତିନି ଜଣ ଅଭିଯୁକ୍ତ ଯୋଗେନ୍ଦ୍ର ବରିହା(୩୦), ଲକ୍ଷ୍ମଣ ଦାସ(୩୧), ବିଶ୍ୱନାଥ ନିଆଲ(୨୯)ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.