
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରେ କାଳବୈଶାଖୀ ତାହାର ଉଗ୍ର ରୂପ ଦେଖାଇଛି । ତୀବ୍ର ପବନ, ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ହେବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି । ଏହି ଅକାଳ ବର୍ଷା ଓ କୁଆପଥର ମାଡ଼ରେ ବିଭିନ୍ନ ପନିପରିବା ଚାଷ ବ୍ୟାପକ ଭାବରେ ନଷ୍ଟ ହୋଇଛି । ଚାଷ ଉପରେ ନିର୍ଭର କରି ପରିବାର ଚଳାଉଥିବା ଚାଷୀମାନଙ୍କ ପାଇଁ ଏହା ବଡ଼ ଆଘାତ ସୃଷ୍ଟି କରିଛି । ୠତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ସିନାପାଲି ଅଞ୍ଚଳରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା । ପ୍ରଥମେ ଜୋର ପବନ ବହିବା ସହ ଆକାଶ ମେଘାଚ୍ଛନ୍ନ ହୋଇଥିଲା ଏବଂ ପରେ ପ୍ରବଳ କୁଆପଥର ବର୍ଷା ଆରମ୍ଭ ହୋଇଥିଲା । ଆମ୍ବ ଗଛରୁ ଅନେକ ଫଳ ଝଡ଼ି ପଡ଼ିଥିବା ବେଳେ ପନିପରିବା ବଗିଚା ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି କାଳବୈଶାଖୀରେ ମହୁଲପଡା ଗ୍ରାମର ସଫଳ ଚାଷୀ ନିରଞ୍ଜନ ମାଝୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଉଚ୍ଚମାନର ଚାଷ କରି ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରଶଂସା ଲାଭ କରିଥିବା ନିରଞ୍ଜନ ମାଝୀ ନିଜର କଠିନ ପରିଶ୍ରମ ଓ ନୂତନ ପଦ୍ଧତିରେ ଚାଷ କରି ଅନେକ ପୁରସ୍କାର ପାଇଥିଲେ । କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟ ତାଙ୍କ ସବୁ ପରିଶ୍ରମକୁ କିଛି ମୁହୂର୍ତ୍ତରେ ନଷ୍ଟ କରିଦେଇଛି । ସୂଚନା ଅନୁସାରେ, ନିରଞ୍ଜନ ମାଝୀଙ୍କ ପନିପରିବା ବଗିଚା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ଏହାସହ ତୀବ୍ର ପବନରେ ତାଙ୍କ କୁକୁଡ଼ା ଘର, ଗାଈ ଗୁହାଳ ଓ ଛେଳି ଘରର ଛାତ ଉଡ଼ିଯାଇ ଭାଙ୍ଗି ପଡ଼ିଛି । ଏହି ଘଟଣା ପରେ ନିରଞ୍ଜନ ଓ ତାଙ୍କ ପରିବାର ଗଭୀର ଚିନ୍ତାରେ ରହିଛନ୍ତି । ଚାଷରେ ଲଗାଇଥିବା ଟଙ୍କା ଫେରି ପାଇବେ କି ନାହିଁ, ସେନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ଅନେକ ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଫସଲ ନଷ୍ଟ ହେବା ଫଳରେ ଆଗାମୀ ଦିନରେ ପନିପରିବା ଉତ୍ପାଦନ କମିବା ସହ ବଜାର ଦର ବଢ଼ିବା ଆଶଙ୍କା ଦେଖାଦେଇଛି । ଏହାର ସିଧା ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ମଧ୍ୟ ପଡ଼ିବ । ସ୍ଥାନୀୟ ଲୋକମାନେ ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ଶୀଘ୍ର କ୍ଷୟକ୍ଷତି ଆକଳନ କରି ଚାଷୀମାନଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି କରିଛନ୍ତି । ବିଶେଷ କରି ନିରଞ୍ଜନ ମାଝୀ ପରି ସଫଳ ଚାଷୀଙ୍କୁ ସହଯୋଗ କରାଗଲେ ତାଙ୍କ ମନୋବଳ ବଢ଼ିବ ଏବଂ ସେ ପୁଣିଥରେ ଚାଷ କାମରେ ନିଜକୁ ନିୟୋଜିତ କରିପାରିବେ ।