
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାବୁ ଜଗଜୀବନ ରାମ ନେସନାଲ ଫାଉଣ୍ଡେସନ, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ନୂଆଦିଲ୍ଲୀ ସହାୟତାରେ ଏବଂ ନାରୀ ମଙ୍ଗଳ ମହିଳା ସମିତି, ଡେଲାଙ୍ଗ, ପୁରୀ ଆନୁକୂଲ୍ୟରେ ଐତିହାସିକ ବୌଦ୍ଧପୀଠ ଅରାଗଡ଼ ଠାରେ ଭଗବାନ ବୁଦ୍ଧଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରାଜ୍ୟ ସୂଚନା କମିଶନର ଜଗଦାନନ୍ଦ ମହାନ୍ତି, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ ପ୍ରଦୀପ୍ତ କୁମାର ଦତ୍ତ, ସମ୍ମାନିତ ଅତିଥିରୂପେ ପ୍ରଦୀପ କୁମାର ଜେନା, ସଭାପତି ପଞ୍ଚାୟତ ଡିଗ୍ରୀ କଲେଜ, ପ୍ରଧାନଶିକ୍ଷକ ମଙ୍ଗୁଳି ଚରଣ ପରିଡା, ବସନ୍ତ କୁମାର ଦାଶ, ନରେନ୍ଦ୍ର କୁମାର ଜେନା, ଗୋପାଳ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଭଗବାନ ବୁଦ୍ଧଙ୍କ ଜନ୍ମ, ଜୀବନୀ, ଆଧ୍ୟାତ୍ମିକ, ନିତିଶିକ୍ଷା, ଆଦର୍ଶ ଓ ଶାନ୍ତିର ପ୍ରତୀକ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଜଗଦାନନ୍ଦ ଶାନ୍ତି ପାଇଁ ନିଶା ଓ ହିଂସାକୁ ପରିତ୍ୟାଗ କରିବା ସହ ଭଗବାନ ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଗୁଣନିଧି ବରାଳ ଅତିଥି ପରିଚୟ ସହ ସଂଯୋଜନା କରିଥିବା ବେଳେ ଉପଦେଷ୍ଟା ପ୍ରକାଶ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ । ବୁଦ୍ଧ ଦେବଙ୍କ ଉପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥ ପ୍ରତିମୂର୍ତ୍ତି ଓ ଭଗବାନ ବୁଦ୍ଧଙ୍କ ନିକଟରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ କୁନି କୁନି କଳାକାରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସମାବେଶରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ, ବିଭିନ୍ନ ସଂଗଠନର ପ୍ରତିନିଧି, କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ସମେତ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ନାରୀ ମଙ୍ଗଳ ମହିଳା ସମିତିର ସମ୍ପାଦିକା ସସ୍ମିତା ପଣ୍ଡା ସମେତ ଶିକ୍ଷକ ଛାଟୋଇ ମୋତିଲାଲ ରାୟ, ବାବୁଲି ଜେନା, ପାଣ୍ଡବ କୁମାର ଜେନା, ମନୋଜ କୁମାର ଜେନା, ପ୍ରକାଶ ରାଉତରାୟ ଓ ପୂର୍ଣ୍ଣଚନ୍ଦ୍ର ପରିଡା ପ୍ରମୁଖ ସୂଚାରୁରୂପେ ପରିଚାଳନା କରିଥିଲେ । ଶେଷରେ ଗୁଣନିଧି ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।