ଚୁକ୍ତି ଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ସମାପ୍ତ ଘୋଷଣାକୁ ହିନ୍ଦ୍‌ ମଜଦୁର ସଭାର ସ୍ୱାଗତ

  • ରାଜ୍ୟରେ କାର୍ଯ୍ୟରତ ଅଢେ଼ଇ ଲକ୍ଷ ଆଉଟସୋର୍ସିଂ କର୍ମଚାରୀଙ୍କୁ ଠିକାଦାରଙ୍କ କବଳରୁ ମୁକ୍ତ କରାଯାଉ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଅଧିନରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ୫୭ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିଥିବାରୁ ହିନ୍ଦ ମଜଦୁର ସଭାର ରାଜ୍ୟ ଉପାଧ୍ୟକ୍ଷ ରବି ରଥ ସ୍ୱାଗତ କରିବା ସହ ରାଜ୍ୟରେ କାର୍ଯ୍ୟରତ ଅଢେ଼ଇ ଲକ୍ଷ ଆଉଟସୋର୍ସିଂ କର୍ମଚାରୀଙ୍କୁ ଠିକାଦାରଙ୍କ କବଳରୁ ମୁକ୍ତ କରାଯାଉ ବୋଲି ଶ୍ରୀ ରଥ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଚୁକ୍ତିଭିତ୍ତିକ ନିଯୁକ୍ତି ଠାରୁ ଆହୁରି ଭୟଙ୍କର ଶୋଷଣକାରୀ ବ୍ୟବସ୍ଥା ରୂପେ ପରିଚିତ ଆଉଟସୋର୍ସିଂ ବ୍ୟବସ୍ଥା ଏବେବି ରାଜ୍ୟରେ ଅବ୍ୟାହତ ରହିଛି । ଖୋଦ୍‌ ରାଜ୍ୟ ସରକାରଙ୍କ ଅଧିନରେ ପ୍ରାୟ ଅଢେ଼ଇ ଲକ୍ଷ ଯୁବକ ଯୁବତୀ ବିଭିନ୍ନ ଘରୋଇ ସର୍ଭିସ୍‌ ପ୍ରୋଭାଇଡର ଏଜେନ୍ସି ଅଧିନରେ ନିଯୁକ୍ତ ହୋଇ ନାମକୁ ମାତ୍ର ଦରମାରେ ବର୍ଷ ବର୍ଷ ଦରି ଚାକିରିର ଅସୁରକ୍ଷା ଭିତରେ କାମ କରୁଛନ୍ତି । ଏହାବ୍ୟତୀତ ସେମାନଙ୍କ ·କିରି ସର୍ତ୍ତାବଳୀ ନଥିବାରୁ ଠିକାଦାରମାନେ ମନଇଚ୍ଛା ଛଟେଇ କରିବା ସହ ଇଏସଆଇ ଓ ଇପିଏଫ୍‌ ଜମା ନ କରିବା ଏବଂ ପ୍ରତି ମାସର ନିର୍ଦ୍ଦିଷ୍ଟ ତାରିଖରେ ଦରମା ନ ଦେବା ଦୈନନ୍ଦିନ ବିଷୟ ହୋଇଛି । ନା ସେମାନଙ୍କ ଦରମାରେ ନିୟମିତ ବୃଦ୍ଧି ଘଟୁଛି ନା ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ଛୁଟି ଓ ଅନ୍ୟାନ୍ୟ ସୁବିଧା ମିଳୁଛି । ସରକାର ସେମାନଙ୍କୁ ନିଜ କାମରେ ଲଗାଇବା ସତ୍ତେ୍ୱ କୌଣସି ଅସୁବିଧା ହେଲେ ନିଜର କର୍ମଚାରୀ ନୁହନ୍ତି ବୋଲି କହିବାକୁ ପଛାଉ ନାହାନ୍ତି । ଯଦି ସରକାର କୌଣସି କାରଣରୁ ସର୍ଭିସ୍‌ ପ୍ରୋଭାଇଡରକୁ ବଦଳାନ୍ତି ତାହେଲେ ସେହି ସଂସ୍ଥା ସହିତ ତା ମାଧ୍ୟମରେ ସରକାରୀ ସେବାରେ ନିୟୋଜିତ ସବୁ କର୍ମଚାରୀ ନିଜର ଚାକିରି ହରାନ୍ତି । ଏପରିକି ସେମାନେ ପାଉଥିବା ସ୍ୱଳ୍ପ ଦରମାର ୧୮% ବା ପ୍ରାୟ ଏକ ପଞ୍ଚମାଂସ ଜିଏସଟି ବାବଦରେ ପୁନଶ୍ଚ ସରକାରଙ୍କ ତହବିଲରେ ଜମା କରିବାକୁ ପଡ଼ୁଛି । ବର୍ତ୍ତମାନ ଆଉଟସୋର୍ସିଂ ବ୍ୟବସ୍ଥାରେ ଗୋତି ଶ୍ରମିକଙ୍କ ପରି ନିଯୁକ୍ତ ରାଜ୍ୟର ଲକ୍ଷାଧିକ କର୍ମଚାରୀଙ୍କ କେବେ ସ୍ଥାୟୀ କରିବେ ସରକାର ଘୋଷଣା କରିବେ କି? ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ସୁପ୍ରିମକୋର୍ଟର ଗାଇଡ ଲାଇନ ଅନୁସାରେ ଜଣେ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ସମାନ କାମକୁ ସମାନ ଦରମା ଓ ସରକାରୀ କର୍ମଚାରୀ ପାଇବା ଭଳି ସୁବିଧା ସୁଯୋଗ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଏଥିପ୍ରତି ସରକାର ଭ୍ରୂକ୍ଷେପ କରୁନାହାନ୍ତି । ଗୋଟିଏ ଜନକଲ୍ୟାଣ ରାଜ୍ୟର ଜଣେ ବରିଷ୍ଠ ଅଧିକାରୀ କିମ୍ବା ମନ୍ତ୍ରୀ ଲକ୍ଷାଧିକ ଟଙ୍କା ପାଉଥିବା ବେଳେ ତଳିଆ କର୍ମଚାରୀ ସର୍ବନିମ୍ନ ୨୫ ହଜାର ଟଙ୍କା ପାଇବା ଆବଶ୍ୟକ । କିନ୍ତୁ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଭ୍ରାଟ ଦେଖାଦେଇଛି । ଗ୍ରାମରକ୍ଷୀ, ଗ୍ରାମ ରୋଜଗାର ସେବକ, ଆୟୁଷ୍‌ ଡ଼ାକ୍ତର, ସୁରକ୍ଷା କର୍ମୀ ବହୁ ସ୍ୱଳ୍ପ ଦରମାରେ ପରିବାର ପ୍ରତିପୋଷଣ କରିବା ଦୁର୍ବିସହ ହୋଇପଡ଼ିଛି । ତେଣୁ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ହିନ୍ଦ୍‌ ମଜଦୁର ସଭା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply

Your email address will not be published.

fifteen − 1 =