ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ବଲାଙ୍ଗିରରେ ଆଦିବାସୀଙ୍କ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ୱାନ କ୍ରମେ ବଲାଙ୍ଗିରରେ ଆଦିବାସୀ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମହୋତ୍ସବ ପାଳନ ଅବସରରେ ସହରରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୋଶଳ କଳା ମଣ୍ଡଳ ପଡ଼ିଆଠାରୁ ହଜାର ହଜାର ସଂଖ୍ୟାରେ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର, ବେଶଭୁଷା, ଢ଼ାପ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ସହର ପରିକ୍ରମା କରିଥିଲେ । ଆଦିବାସୀମାନେ ପରିକ୍ରମା ବେଳେ ସମଲେଇ ଦେବୀ ଦର୍ଶନ କରି ମିଶନ ପଡ଼ିଆରେ ଜୟନ୍ତୀ ସଭା କରିଥିଲେ । ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜ ମୋହନ ବିଶୋଇ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ମିଥିଲା ମାଝି, ବିଂଝାଲ ସମାଜର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ବାଗ, ମିର୍ଦ୍ଧା ସମାଜର ଜିଲ୍ଲା ସଭାପତି ଗୋପାଳ ପ୍ରଧାନ, ଆଦିବାସୀ ସଂଘର ବ୍ଲକ ସଭାପତି ପାଳେଶ୍ୱର ଭୋଇ ବଲାଙ୍ଗିର, ଦଶରଥ ଛତ୍ରିଆ ଲୋଇସିଂହା, ସନ୍ତୋଷ ପୁଟା ସଇଁତଲା, ଚନ୍ଦ୍ରଶେଖର ବରିହା ଖପ୍ରାଖୋଲ, ଭୁବନେଶ୍ୱର କୁଅଁର ପାଟଣାଗଡ, ମନରଞ୍ଜନ ଭୋଇ ବଙ୍ଗୋମୁଣ୍ଡା, ରସିକ ଧରୁଆ ବେଲପଡା, ରାଜୀବ କୁଅଁର ମୁରିବାହାଲ, କାର୍ଯ୍ୟକାରୀ ସଭାପତି ଭୁବନେଶ୍ୱର ଧରୁଆ ଆଗଲପୁର, ଦେଓଗାଁ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ, ଶ୍ରୀମତୀ ଖେଳନ୍ତି ସମରଥ କାର୍ଯ୍ୟକାରୀ ସଭାପତି ତୁରେକେଲା, ନିମାଇଁ ଚରଣ ଝାଙ୍କର କାର୍ଯ୍ୟକାରୀ ସଭାପତି,ସାଧାରଣ ସମ୍ପାଦକ ହେମେନ୍ଦ୍ରନାଥ ହାଂସଦା, କୋଷାଧକ୍ଷ ପ୍ରଫୁଲ୍ଲ କୁମାର ତୁମୁନିଆଁ, ଟିଟିଲାଗଡ଼ ନଗରସଭାପତି ନିତ୍ୟାନନ୍ଦ ମାଝି, ବଲାଙ୍ଗିର ନଗର ସଭାପତି ରାମଚନ୍ଦ୍ର ମୁର୍ମୁ, ଗୁଡଭେଲା ସଭାପତି ବରୁଣ ମାଝି, ପୁଇଁତଲା ସଭାପତି ରାଜିନ ମାଝି ପ୍ରମୁଖ ମଞ୍ଚାସୀନ ଥିଲେ । ଅଚ୍ୟୁତ ଧରୁଆ, ମଧୁ ବିଶ୍ୱାଳ, ସାରଥୀ ବାଗ, ଲକ୍ଷ୍ମୀ ଶବର, ଜଳ ଧରୁଆ, ରାଜ ଭୋଇ, ଶୋଭାଯାତ୍ରା ପରିଚାଳନା କରିଥିଲେ । ସଭା ମଞ୍ଚରେ ମହାନ ସ୍ୱାଧୀନତା ସଂଗ୍ରାମୀ କ୍ରାନ୍ତିବୀର ଧରତୀଅବା ବୀର ବିର୍ସା ମୁଣ୍ଡାଙ୍କୁ ଆଦିବାସୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭଗବାନ ବିର୍ସା ମୁଣ୍ଡା ଇଂରେଜ ସରକାର ବିରୁଦ୍ଧରେ ଆଦିବାସୀମାନଙ୍କୁ ଏକଜୁଟ କରି ଉଲଗୁଲାନ ଡାକରା ଦେଇଥିଲେ । ଆଦିବାସୀମାନଙ୍କ ଜମି, ଜଳ, ଜଙ୍ଗଲ ଜୀବନ ଜୀବିକା, ଜୀବଜନ୍ତୁ, ସଂସ୍କୃତି, ଧର୍ମ ସୁରକ୍ଷା ପାଇଁ ବିପ୍ଳବ କରିଥିଲେ । କ୍ରାନ୍ତିକାରୀ ଆଦିବାସୀ ନେତା ବିର୍ସା ମୁଣ୍ଡା ଆଦିବାସୀମାନଙ୍କ ଶିକ୍ଷା ସ୍ୱାସ୍ଥ୍ୟ ସାମାଜିକ ସୁରକ୍ଷା ପାଇଁ ଲଢେଇ ଜାରି ରଖିଥିଲେ । ଆଦିବାସୀମାନେ ସ୍ୱାଧୀନ, ସ୍ୱତନ୍ତ୍ର, ସ୍ୱାଭିମାନୀ ତେଣୁ ମର୍ଯ୍ୟାଦାର ସହିତ ବଞ୍ଚିବା ପାଇଁ ସହିଦ ବୀର ବିର୍ସା ମୁଣ୍ଡା ଆଦିବାସୀମାନଙ୍କୁ ଆହ୍ୱାନ ଦେଇଥିଲେ । ଭାରତ ସ୍ୱାଧୀନତାରେ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଅତୁଳନୀୟ । ବୀର ବିର୍ସା ମୁଣ୍ଡାଙ୍କ ଅଧୁରା ସପ୍ନକୁ ସାକାର କରିବା ପାଇଁ ସମସ୍ତ ଆଦିବାସୀ ଏକଜୁଟ ହୋଇ ହକ ପାଇଁ ସଂଗ୍ରାମ କରିବାକୁ ଆଦିବାସୀ ମାନେ ଆହ୍ୱାନ କରିଥିଲେ । ବଲାଙ୍ଗିରର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଏବଂ ଦେଶର ବିଭିନ୍ନ ଡ୍ୟାମ, ନଦୀ ବନ୍ଧ ଯୋଜନା, ସଂରକ୍ଷଣ ଜଙ୍ଗଲ, ପାର୍କ ଆଦିରେ ଆଦିବାସୀମାନେ ବିସ୍ଥାପିତ ହେଉଛନ୍ତି । ଆଦିବାସୀମାନଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରିବାକୁ ଆଦିବାସୀ ନେତାମାନେ ଦାବୀ କରିଥିଲେ । ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.

three × four =