ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧା ମାନ୍ୟତା ମିଳୁ : ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନିଅନ୍ତୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକ ସମାଜକୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବା ପାଇଁ ଓଡିଶା ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶଙ୍କ ଠାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବୀ ଉପସ୍ଥାପନ କରିଛନ୍ତି । ଟେଲିଫୋନ ଯୋଗେ ଆଜି ଶ୍ରୀ ପୁରୋହିତ ଶିକ୍ଷା ବିଭାଗୀୟ ମନ୍ତ୍ରୀ ସମୀର ଦାଶଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ । ଶିକ୍ଷକ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ମାନ୍ୟତା ଦେବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପ୍ରସ୍ତାବ ନେଇଥିବା ଓ ଏହା ଏବେ ରାଜ୍ୟ ସରକାରଙ୍କ ବିଚାରଧୀନ ଥିବା ମନ୍ତ୍ରୀ ସମୀର ଦାଶ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ ସୂଚନା ଦେଇଥିଲେ । ବର୍ତ୍ତମାନ କୋଭିଡ ମହାମାରୀ କାରଣ ଯୋଗୁଁ କେବଳ ବରଗଡ ଜିଲ୍ଲାର ପାଖାପାଖି ୪୦ ଜଣ ଶିକ୍ଷକ କରୋନା ଆକ୍ରାନ୍ତ ହୋଇ ଦେହାନ୍ତ ହୋଇ ସାରିଛନ୍ତି । ସାରା ଓଡ଼ିଶାରେ ଅନେକ ସ୍ଥାନରେ ଶିକ୍ଷକ ମାନେ କରୋନା ମହାମାରୀରେ ଆକ୍ରାନ୍ତ ହେଉଛନ୍ତି । କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଶିକ୍ଷକ ମାନଙ୍କୁ ଏବେ କୋଭିଡ ହସ୍ପିଟାଲ, ଗାଁ ଗାଁରେ କୋଭିଡ ଚିହ୍ନଟ କରିବା, ରେଲୱେ ଷ୍ଟେସନରେ ପ୍ରବାସୀ ଲୋକଙ୍କୁ ରେଜିଷ୍ଟ୍ରେସନ କରିବା ଓ ଓଡିଶା ସୀମାନ୍ତ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶିକ୍ଷକ ମାନେ ପୋଲିସ ମାନଙ୍କ ସହ ମିଶି କୋଭିଡ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଶିକ୍ଷକମାନଙ୍କୁ ତୁରନ୍ତ କୋଭିଡ ଯୋଦ୍ଧା ଭାବରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।

Leave A Reply

Your email address will not be published.

15 − 10 =

error: Content is protected !!