csstore

୧୯ ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ଉଦଘାଟିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ପିପିଲିପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଠାରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ରେଡକ୍ରସର ସଭାପତି ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରେଡକ୍ରସ ପତାକା ଉତ୍ତୋଳନ କରି ଶିବିରକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ସେବା ମନୋବୃତି ଶିଖାଇବା, ସେବା ଓ ବନ୍ଧୁତାର ବିଷୟ ତଥା ଭବିଷ୍ୟତ ନିର୍ମାଣ କରିବା ପାଇଁ ଏବଂ ସମାଜର ସେବାରେ ଆସିବା ପାଇଁ ଏହା ଏକ ପ୍ରକୃଷ୍ଟ ଶିବିର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜୁନିଅର ରେଡକ୍ରସର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳ, ସମ୍ପାଦକ ତଥା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵ ବନ୍ଧୁତାକୁ ପାଥେୟ କରି ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବା ସହିତ ତାଲିମ ଶିବିର କିପରି ଶୃଙ୍ଖଳିତ ଭାବରେ ସମାପନ ହେବ ପରାମର୍ଶ ଦେଇଥିଲେ । ଉଲୁଣ୍ଡା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଦେବାଶିଷ ପାଣ୍ଡିଆ ମୁଖ୍ୟବକ୍ତା ଭାବରେ ପୋଗଦେଇ ରେଡକ୍ରସର ମୁଖ୍ୟ ଉଦ୍ଦେଶ୍ୟ ପିଲାଙ୍କୁ ବୁଝାଇବା ସହ କିପରି ନିଜ ଜୀବନରେ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ସୁବର୍ଣ୍ଣପୁର ଜିଲ୍ଲା ରେଡକ୍ରସର ଉପସଭାପତି ଗତିକୃଷ୍ଣ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଶିବରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଜୁନିଅର ରେଡକ୍ରସର ମୁଖପତ୍ର ଉତ୍ସର୍ଗର ଶୁଭ ଉନ୍ମୋଚନ ହୋଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ବରିଷ୍ଠ ସାଧନ କର୍ମୀ ଝସକେତନ ମେହେରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଶିବିରରେ ୪୨୫ ଜଣ ଜୁନିଅର ଏବଂ ୧୪୩ ଜଣ ପରାମର୍ଶଦାତା ଅଂଶ ଗ୍ରହଣ କରିଥିଲେ । ଶିବିର ପରିଚାଳନାରେ ବିସିସି ଗୋପେଶ ପଣ୍ଡା, ବିଶ୍ୱନାଥ ପାଣିଗ୍ରାହୀ, ପବିତ୍ର ବାରିକ, ନିମାଇଁ ଚରଣ ମଲ୍ଲିକ, ବିଜୟ ପଣ୍ଡା, ବୈକୁଣ୍ଠନାଥ ନାୟକ, ସାଧନ କର୍ମୀ ଚନ୍ଦ୍ର ଶେଖର ମହାପାତ୍ର, ହୃଷିକେଶ ଡାଙ୍ଗ, ତପସ୍ୱିନୀ ଦାଶ, ହୃଷିକେଶ ଚାନ୍ଦ, ଜଗଦିଶ ଦାଶ, ଲୋକନାଥ ଠେଲା ପ୍ରମୁଖ ସହଯୋଗ କରିଥିଲେ । ଶିବିରକୁ ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣୀ ବାଘ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.