jayashree

ଛତ୍ରପୁର ଉପଖଣ୍ଡସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମତଦାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଛତ୍ରପୁର ଉପଖଣ୍ଡସ୍ତରୀୟ ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ନିର୍ବାଚନମଣ୍ଡଳୀସ୍ତରୀୟ କୁଇଜ୍ ଓ ପ୍ରବନ୍ଧ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ଡ଼ଃ. ଶିବାଶିଷ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ୧୨୪-ପୋଲସରା, ୧୨୫-କବିସୂର୍ଯ୍ୟନଗର, ୧୨୬-ଖଲ୍ଲିକୋଟ, ୧୨୭-ଛତ୍ରପୁର ଓ ୧୩୧-ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ । ଛତ୍ରପୁର ଉପଜିଲ୍ଲାପାଳ ଡ଼ଃ. ବରାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ମତଦାତାଙ୍କ ସଚେତନତା ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଥାଏ । ପ୍ରତ୍ୟେକ ଯୋଗ୍ୟ ନାଗରିକ ଯେପରି ମତଦାନ ଅଧିକାରରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସମସ୍ତେ ସଚେତନ ଓ ଯତ୍ନବାନ ହେବା ଆବଶ୍ୟକ । ଏହି ଅବସରରେ ଡେପୁଟି କଲେକ୍ଟର (ନିର୍ବାଚନ) ରବୀନ୍ଦ୍ର କୁମାର ମିଶ୍ର, ଡେପୁଟି କଲେକ୍ଟର ଲକ୍ଷ୍ମୀ ପ୍ରସନ୍ନା ଦୋରା, ବରିଷ୍ଠ ସହାୟକ (ନିର୍ବାଚନ) ଶିବ ପ୍ରସାଦ ଗୌଡ଼ଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

Leave A Reply

Your email address will not be published.