jayashree

ଅତର୍କିତ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ଭୋଗିବେ ୪ମାସ ଜେଲଦଣ୍ଡ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅତର୍କିତ ଭାବେ ଆକ୍ରମଣ କରି ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସଙ୍ଗୀନ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା କାଶୀନଗର ଗ୍ରାମ ନ୍ୟାୟଧିକାରୀ ତଥା ଜେଏମ୍ଏଫସି ସତ୍ୟଜିତ ପାଣି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ କାଶୀନଗର ଥାନା ଅନ୍ତର୍ଗତ କିଡିଗାଁର ଅଭିଯୁକ୍ତ ପଣସ ଧର୍ମା ରାଓ (୩୨ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଚାରିମାସର ସଜା ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସହାୟକ ପବ୍ଲିକ ପ୍ରସିକ୍ୟୁଟର (ଏପିପି) ଶ୍ରୀନିବାସ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ତା ୩୦.୦୩.୨୦୨୨ରିଖ ସକାଳ ପ୍ରାୟ ୬.୩୦ ସମୟରେ, ଏତଲାକାରି ଲିଙ୍ଗମ ନାନାଜୀ ନିଜର ନିତ୍ୟକର୍ମ ସାରି ଗାଈ ଦୁହୁଁଥିବା ବେଳେ, ତାଙ୍କ ଘର ପାଖରେ ଥିବା ସିତାୟାଙ୍କ ଦୋକାନ ସାମ୍ନାରେ ଏକ ବଡ଼ ‘ରେଞ୍ଚି’ ଧରି ଠିଆ ହୋଇଥିବା ଅଭିଯୁକ୍ତ ପଣସ ଧର୍ମା ରାଓ ଅତର୍କିତ ଭାବେ ପଛପଟୁ ଆସି ସେହି ରେଞ୍ଚି ସାହାଯ୍ୟରେ ତାଙ୍କ ମୁଣ୍ଡ ଉପରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଦେଇଥିଲେ । ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କ ଛାତିକୁ କାମୁଡ଼ି କ୍ଷତାକ୍ତ ମଧ୍ୟ କରିଦେଇଥିଲେ । ସୂଚନାଯୋଗ୍ୟ, ଏହି ଘଟଣା ପୂର୍ବରୁ ବିନା କାରଣରେ ଅଭିଯୁକ୍ତ ଜଣକ ବାରମ୍ବାର ତାଙ୍କୁ ଆକ୍ରମଣ କରିଆସୁଥିଲେ ଏବଂ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଉଥିଲେ । ତେଣୁ ଏହି ଘଟଣାରେ ନିଜ ଜୀବନ ପ୍ରତି ବିପଦ ଥିବା କଥା ଭାବି ସେହି ଦିନ ଅଭିଯୁକ୍ତଙ୍କ ନାଁରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲାକାରୀ ଏକ ସଙ୍ଗୀନ ମାମଲା ଦାୟର କରିଥିଲେ, ଯାହାକି ମାମଲା ନମ୍ବର ୩୭/୨୨ରେ ପଞ୍ଜିକୃତ ହୋଇଥିଲା । ଏହି ମାମଲାରେ ଏ.ଏସ୍‌.ଆଇ. ଶିବ ନାରାୟଣ ପୁରୋହିତ ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ । ଆଜି ୧୧ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ୪ଟି ଦସ୍ତାବିଜକୁ ଆଧାର କରି ମାନ୍ୟବର ବିଚାରପତି ଅଭିଯୁକ୍ତଙ୍କୁ ଚାରିମାସର କାରାବାସ ସଜା ଶୁଣାଇଛନ୍ତି । ସୂଚନାଯୋଗ୍ୟ, ଉକ୍ତ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଆଉ ଏକ ମାମଲା ଗତ ଅଗଷ୍ଟ ମାସରେ ଜିଲ୍ଲା ଓ ଦୌରା ବିଚାରପତିଙ୍କ ଅଦାଲତରେ ଶେଷ ହୋଇଥିଲା ଓ ଉକ୍ତ ମାମଲାରେ ତାଙ୍କୁ ଦୋଷୀ ଭାବେ ପ୍ରମାଣିତ କରାଯାଇଥିଲା ।

Leave A Reply

Your email address will not be published.