pakka

ରୋଜଗାର ଓ କୌଶଳ ବିକାଶ ଶିବିର ଅନୁଷ୍ଠିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉତ୍କଳ ବିଶ୍ୱବିଦ୍ୟାଳୟର ଏଣ୍ଟରପ୍ରିନରସିପ୍‌ ଆଣ୍ଡ କ୍ୟରିୟର ହବ(ୟୁଇସିଏଚ) ପକ୍ଷରୁ ରୋଜଗାର ଓ କୌଶଳ ବିକାଶ ଶିବିର କଟକ ସ୍ଥିତ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବରେ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ନିଜର ପ୍ରତିଭା ଓ ଦକ୍ଷତା ବୃଦ୍ଧି ପାଇଁ ପୁସ୍ତକ ପଠନ ଅପରିହାର୍ଯ୍ୟ । ଛାତ୍ରଛାତ୍ରୀମାନେ ପାଠ୍ୟ ପୁସ୍ତକ ଅଧ୍ୟୟନ ସହିତ ରୋଜଗାର ଓ କୌଶଳ ବିଦ୍ୟା ଗ୍ରହଣ ପାଇଁ ପ୍ରତିଜ୍ଞା କରି ଆଗକୁ ବଢିବା ଦରକାର । ରାଜ୍ୟର ଯୁବପିଢିଙ୍କୁ ରୋଜଗାରକ୍ଷମ କରିବା ପାଇଁ ସେମାନଙ୍କ ଦକ୍ଷତା ବିକଶିତ କରିବା ଦରକାର । ସେହିପରି ଶିଳ୍ପାନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରାଯିବା ଦରକାର । ଫଳରେ ଯୁବପିଢ଼ି ଶିକ୍ଷା ଗ୍ରହଣ ପରେ ସେମାନଙ୍କ ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗ ପାଇପାରିବେ ଏବଂ ଶିଳ୍ପାନୁଷ୍ଠାନଗୁଡ଼ିକର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ବାଙ୍କୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଭୂପତି ପ୍ରସାଦ ହୋତା ଦକ୍ଷତା ବୃଦ୍ଧି ଓ ବୃତ୍ତିଗତ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ୟୁଇସିଏଚର ନିର୍ଦେଶକ ପ୍ରଫେସର ଆବିଦ ଅଲ୍ଲୀ ଖାନ, ରୁସା ୨.୦ ର ପ୍ରୋଗ୍ରାମ ମ୍ୟାନେଜର ସ୍ୱତୀ ପ୍ରିୟଦର୍ଶନୀ ଆଚାର୍ଯ୍ୟ, ବାଙ୍କୀ ମହାବିଦ୍ୟାଳୟର ଉପାଧ୍ୟକ୍ଷ ଏମ.କେ ମହାରଣା, ଅଧ୍ୟାପକ ମୁକ୍ତିପଦ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

ten − 3 =