pakka

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ଉଦ୍‌ଯାପିତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ମହାବିଦ୍ୟାଳୟ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଶୀତକାଳୀନ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଆୟୋଜିତ ହୋଇ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଶିବିର ଡିସେମ୍ବର ୨୫ ତାରିଖଠାରୁ ଆରମ୍ଭ ହୋଇଥିଲା । ପ୍ରଥମ ଦିନ ଉଦ୍‌ଘାଟନ ଉତ୍ସବରେ ଅଧ୍ୟକ୍ଷ ମହୋଦୟ କିଶୋର କୁମାର ବେହେରା ଏବଂ ସହକାରୀ ଅଧ୍ୟାପିକା ପିଙ୍କିରାଣୀ ଦେଇ ଯୋଗଦାନ କରି ସ୍ୱେଚ୍ଛାସେବୀ ଗଣଙ୍କୁ ବହୁମୂଲ୍ୟ ତଥ୍ୟ ପ୍ରଦାନ କରିଥିଲେ । ପ୍ରଥମ ଦିନ ମହାବିଦ୍ୟାଳୟର ପରିସର ପରିଚ୍ଛନ୍ନ କରିବା ପୂର୍ବକ ପୋଷ୍ୟ ଗ୍ରାମ ତରେଇ ପାଟପୁରକୁ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ପଦଯାତ୍ରା କରିଥିଲେ । ଦ୍ୱିତୀୟ ଦିନ ସକାଳୁ ଯୋଗ, ପ୍ରାଣାୟାମ ସହ ବିଦ୍ୟାଳୟ ପରିସର ତଥା ତରେଇ ପାଟପୁରରେ ଥିବା ମନ୍ଦିର ପରିସରକୁ ସଫେଇ କରିଥିଲେ ସ୍ୱେଚ୍ଛାସେବୀଗଣ । ତୃତୀୟ ଦିନ ପୋଷ୍ୟ ଗ୍ରାମର ନଳକୂପ ଗୁଡିକର ଚତୁପାର୍ଶ୍ଵ ରାସ୍ତା କଡ଼ରେ ଥିବା ନାଳ ନର୍ଦ୍ଧମାକୁ ସଫା କରିଥିଲେ । ସ୍ବେଛାସେବୀଗଣ ଚାରିଟି ଗୃପରେ ବିଭକ୍ତ ହୋଇ ମାସ୍କ ବଣ୍ଟନ ପୂର୍ବକ ଉକ୍ତ ଗ୍ରାମରେ ସଚେତନତାର ବାର୍ତ୍ତା ନେଇ ଦ୍ୱାର ଦ୍ୱାର ବୁଲି ସଚେତନ କରିଥିଲେ । ଚତୁର୍ଥ ଦିନରେ ମହାବିଦ୍ୟାଳୟର ଗଣିତ ବିଭାଗର ସହକାରୀ ଅଧ୍ୟାପକ ବାଦଲ ସାହୁ ଶିବିରରେ ଯୋଗ ଦେଇ ନୈତିକ ମୂଲ୍ୟବୋଧର ବାର୍ତ୍ତା ସ୍ୱେଛାସେବୀଙ୍କୁ ପ୍ରଦାନ କରି ପ୍ରୋତ୍ସାହିତ କରିଥିଲେ । ପଞ୍ଚମ ଦିନରେ ସ୍ୱେଚ୍ଛାସେବୀ ଗଣ ଶକ୍ତି ସଞ୍ଚୟ ଭବିଷ୍ୟତ ବଞ୍ଚାଅ, ରକ୍ତ ଦାନ ଜୀବନ ପ୍ରଦାନ ପଥପ୍ରାନ୍ତ ନାଟକ କରିଥିଲେ । ଷଷ୍ଠ ଦିନରେ ଯୋଗ ସାରି ସ୍କୁଲ ପରିସର ସଫେଇ କାର୍ଯ୍ୟକ୍ରମ ହେଲା । ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନର ସହକାରୀ ଅଧ୍ୟାପିକା ରାଜବାଳା ତ୍ରିପାଠୀ ଶିବିରରେ ଯୋଗ ଦେଇ ପିଲାମାନଙ୍କୁ ସଚେତନତାର ବିଭିନ୍ନ ଦିଗପ୍ରତି ଦୃଷ୍ଟି ଆକର୍ଷଣ ଦେବା ପାଇଁ ପ୍ରବର୍ତ୍ତାଇଲେ । ଉକ୍ତ ଦିନରେ ସ୍ୱେଚ୍ଛାସେବୀ ଗଣଙ୍କ ଦ୍ୱାରା ଅନ୍ଧବିଶ୍ୱାସ, ସ୍ୱଚ୍ଛତା ମିଶନ, ଜଳ ସଂରକ୍ଷଣ, ନିଶା ନିବାରଣ ଇତ୍ୟାଦି ଉପରେ ପଥପ୍ରାନ୍ତ ନାଟକ ଅଭିନୀତ ହୋଇଥିଲା । ଶିବିରର ସପ୍ତମ ତଥା ଶେଷ ଦିନର ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ କିଶୋର କୁମାର ବେହେରା ଓ ମୁଖ୍ୟଅତିଥି ରୂପେ ଗଞ୍ଜାମ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ଅମର ବିଷୋୟୀ ମହୋଦୟ ଯୋଗଦେଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଲମ୍ବୋଦର ନାୟକ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟକ୍ଷ ମହୋଦୟ ଆପଣାର ପିଲାଦିନର ସ୍ମୃତିକୁ ସ୍ୱେଚ୍ଛାସେବୀଙ୍କ ଆଗରେ ବଖାଣି ଆପଣାକୁ ଉଦାହରଣ ସଜାଇଥିଲେ ଓ ପିଲାମାନଙ୍କୁ ଆଗାମୀ ଯୁଗ ପିଢ଼ିଙ୍କୁ ସେବା ମନୋବୃତ୍ତିରେ ତ୍ୱରାନ୍ୱିତ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ମହୋଦୟ ଅମର ବିଷୋୟୀ ମଧ୍ୟ ପିଲାମାନଙ୍କୁ ବହୁ ମହାମନୀଷୀଙ୍କ କର୍ତ୍ତବ୍ୟ ପରାୟଣତାର ଉଦାହରଣ ପୂର୍ବକ ବିନ୍ଦୁ ବିନ୍ଦୁର ସମାହାରରେ ସାଗର ସୃଷ୍ଟିର ପ୍ରେରଣାମୂଳକ ଉକ୍ତି ରଖିଥିଲେ । ଶେଷରେ କିରଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 + 12 =