pakka

ଛତ୍ରପୁରରେ ଖୋଲିଲା ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଆର୍ବନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ରେଳ ଷ୍ଟେସନ ରୋଡ଼ସ୍ଥ ବ୍ରାହ୍ମଣୀବନ୍ଧ ନିକଟରେ ୱାର୍ଡ ନମ୍ବର ୩, ଏନ୍‌ଏସିରେ ଏକ କୋଠାଘର ତଥା କମ୍ୟୁନିଟ ହଲ୍‌କୁ ରୂପାନ୍ତରଣ କରାଯାଇ ସ୍ଥାନୀୟ ଲୋକଙ୍କର ଆରୋଗ୍ୟ ସେବା ସଦନ ଭାବେ ଏହାକୁ ଲୋକାର୍ପିତ କରାଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ, ଛତ୍ରପୁର ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଛତ୍ରପୁର ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା, ସ୍ଥାନୀୟ କାଉନସିଲର ମାମା ସେଠୀ, କାଉନସିଲର ଦେବାଶିଷ ମିଶ୍ର, ପ୍ରୀତିଚ୍ଛନ୍ଦା ସାମଲ, କେ.ଚନ୍ଦ୍ର ଶେଖର ରେଡ୍ଡୀ, ବି.ରାଜି ବାବୁ, ଅଟଳବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଇଣ୍ଡିଆନ ମେନେଜମେଣ୍ଟ ଟେକ୍ନିକାଲ ସୋସାଇଟି ଦ୍ୱାରା ପରିଚାଳିତ ଏହି କେନ୍ଦ୍ରରେ ଲୋକଙ୍କର କେବଳ ବର୍ହି-ଚିକିତ୍ସା ସେବା ବ୍ୟବସ୍ଥାପନା ରହିଥିବା ବିଷୟରେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼ ସୂଚନା ଦେଇଛନ୍ତି । ଏହି କେନ୍ଦ୍ରରେ ବର୍ତ୍ତମାନ ଡାକ୍ତର ମଧୁସୂଦନ ପଣ୍ଡା ଅବସ୍ଥାପିତ ଅଛନ୍ତି । ଜଣେ ନର୍ସ, ଜଣେ ଫାର୍ମାସିଷ୍ଟ ଓ ଲ୍ୟାବ ଟେକ୍‌ନିସିଆନ, ଜଣେ ସୁଇପର ନିୟୋଜନର ବ୍ୟବସ୍ଥା ରହିଛି ବୋଲି କୁହାଯାଇଛି । ଏହି କେନ୍ଦ୍ରରେ ରକ୍ତ, ଶର୍କରା ଆଦିର ଟେଷ୍ଟିଂ ସୁବିଧା ମଧ୍ୟ ରହିଛି । ଆଗାମୀ ଦିନରେ ଫିଜିଓଥେରାପି ସ୍ପେଶାଲିଷ୍ଟ, ଯୋଗ ଶିକ୍ଷାର ସୁବିଧା ଉପଲବ୍ଧ ହେବ ବୋଲି ଛତ୍ରପୁର ସହରାଞ୍ଚଳ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ହେଲେ ଦୂର ସ୍ଥାନ ଅବା ଛତ୍ରପୁର ସହରର ଏକମାତ୍ର ନିର୍ଭରଶୀଳ ଉପଖଣ୍ଡ ହସ୍ପିଟାଲକୁ ଯିବାକୁ ପଡୁଥିଲା । ଏଠାରେ ଏହି ଆରୋଗ୍ୟ କେନ୍ଦ୍ର ଖୋଲିଥିବା ହେତୁ ସ୍ଥାନୀୟ ଲୋକେ ଖୁସିବ୍ୟକ୍ତ କରିଛନ୍ତି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସହରାଞ୍ଚଳରେ ଏହି ଆର୍ବନ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଖୋଲିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦକ୍ଷେପ ନେଇଥିବା ଜଣାପଡିଛି । ବର୍ତ୍ତମାନ କୋଦଳା, ପୋଲସରା, ଆସ୍କା, ଭଞ୍ଜନଗର ସହରାଞ୍ଚଳରେ ମଧ୍ୟ ଏହି ସେବା କାର୍ଯ୍ୟକାରୀ ହୋଇଆସିଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି ।

Leave A Reply

Your email address will not be published.

fourteen − four =