ବଲାଙ୍ଗିରରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ୍‌ସ୍‌ ଦିବସ ପାଳନ : ଏଚ୍‌ଆଇଭି ଓ ସିଫିଲିସ୍‌ କମ୍ବୋ କିଟ୍‌ରେ ପରୀକ୍ଷାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଏଡ୍‌ସ୍‌ ନିରାକରଣ ଓ ନିୟନ୍ତ୍ରଣ ୟୁନିଟ୍‌, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍‌ସ୍‌ ଦିବସ ପାଳିତ ହୋଇଯାଇଛି । ‘ବିଶ୍ୱ ଏକତା ଓ ସହଭାଗୀ ଦାୟିତ୍ୱ’ ବିଷୟବସ୍ତୁ ଆଧାରରେ ଚଳିତ ବର୍ଷର ବିଶ୍ୱ ଏଡ୍‌ସ୍‌ ଦିବସ ପାଳନ କରାଯାଇଛି । ଜିଲ୍ଲା ସ୍ତରୀୟ ବିଶ୍ୱ ଏଡସ୍‌ ଦିବସ ବଲାଙ୍ଗିର ସହର ସ୍ଥିତ ଶାସ୍ତ୍ରୀନଗର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଏଚଆଇଭିକୁ ପ୍ରତିରୋଧ କରିବା ଏବଂ ନିୟନ୍ତ୍ରଣ କରିବା ନିମନ୍ତେ ବ୍ୟାପକ ଜନସଚେତନତା ଉପରେ ଜିଲ୍ଲାପାଳ ଶ୍ରୀ ରାଣା ଗୁରୁତ୍ୱାରୋପ କରିବା ସହ ଏଥିସକାଶେ ଅଧିକାରୁ ଅଧିକ ଏଚ୍‌ଆଇଭି ପରୀକ୍ଷା କରେଇବା ଉପରେ ମତବ୍ୟକ୍ତ କରିଥିଲେ । ଶିଶୁଙ୍କୁ ଏଚ୍‌ଆଇଭି ଓ ସିଫିଲିସ୍‌ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଜିଲ୍ଲାରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ସୂଚନା ଦେବା ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଏଡ୍‌ସ୍‌ ସଂକ୍ରମିତ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଭୀମ ସାହୁ ସଭାରେ ଅଧ୍ୟକ୍ଷତା କରି ବ୍ୟାପକ ଜନସଚେତନତା ଦ୍ୱାରା ଏହି ରୋଗର ନିରାକରର କରାଯାଇ ପାରିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଏଡ୍‌ସ୍‌ ନିରାକରଣ ଓ ନିୟନ୍ତ୍ରଣ ୟୁନିଟ୍‌ର ଜିଲ୍ଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜେନ୍ଦ୍ର ମହାରଣା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଜିଲ୍ଲା ଏଚ୍‌ଆଇଭି ସଂକ୍ରମଣର ସ୍ଥିତି ଏବଂ ଏହାର ନିରାକରଣ ସକାଶେ ବଲାଙ୍ଗିର ଜିଲ୍ଲାରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ପ୍ରାରମ୍ଭିକ ବିବରଣୀ ଉପସ୍ଥାପନ କରିଥିଲେ । ସାମାଜିକ ସୁରକ୍ଷା ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲାରେ ଏଚ୍‌ଆଇଭି ସଂକ୍ରମିତ ବ୍ୟକ୍ତିମାନଙ୍କୁ ଯୋଗଇ ଦିଆଯାଉଥିବା ବିଭିନ୍ନ ସହାୟତା ସଂପର୍କରେ ସେ ସୂଚନା ପ୍ରଦାନ କରିଥିଲେ । ପରେ ଜିଲ୍ଲାପାଳ ଶ୍ରୀ ରାଣା ଏଚ୍‌ଆଇଭି ଓ ସିଫିଲିସ୍‌ କମ୍ବୋ କିଟ୍‌ରେ ପରୀକ୍ଷାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କର ମାଗଣାରେ ଏଚ୍‌ଆଇଭି ଓ ସିଫିଲିସ୍‌ ପରୀକ୍ଷା କରାଯାଇଥିଲା । ଜିଳ୍ଲାରେ ସମସ୍ତ ମମତା ଦିବସରେ ମାଗଣାରେ ଏଚ୍‌ଆଇଭି ଓ ସିଫିଲିସ୍‌ କମ୍ବୋ କିଟ୍‌ରେ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି । ବିଶ୍ୱ ଏଡ଼୍‌ସ୍‌ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତ ଏକ ସଚେତନତା ରଥକୁ ଶାସ୍ତ୍ରୀନଗର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରୁ ଜିଲ୍ଲାପାଳ ଶ୍ରୀ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଜନସାଧାରଣଙ୍କୁ ସଚେତନ କରିବ । ପରେ ସେଠାରେ ଏଡ଼୍‌ସ୍‌ ସଚେତନତା ସକାଶେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା, ଦିବ୍ୟକିଶୋର ପତି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଟିବି) ଡା. ସିଦ୍ଧେଶ୍ୱର ମାଝୀ, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡା. ସ୍ୱାଧୀନ କୁମାର ମିଶ୍ର, ଶାସ୍ତ୍ରୀନଗର ୟୁପିଏଚ୍‌ସିର ନିର୍ଦ୍ଦେଶକ ସତ୍ୟରଂଜନ ମିଶ୍ର ଓ ପରାମେଡ଼ିକାଲ କର୍ମଚାରୀ, ଆଶା, ଅଙ୍ଗନବାଡ଼ି କର୍ମୀ, ସୋସିଆଲ ଏୱାର୍‌ନେସ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଶେେରେ ଡା. ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.