ପ୍ରଶାସନିକ କଟକଣା : ଟୋକନ ପାଇଁ ଚାଷୀ ହଇରାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜକୁ ୧୫ ଦିନ ହେବ ପାଇକମାଲ ଅଧୀନସ୍ଥ ଭେଙ୍ଗରାଜପୁର ପଞ୍ଚାୟତ ଧାନମଣ୍ତି କେନ୍ଦ୍ରରେ ଆସୁଥିବା ୧୫ଟି ଗ୍ରାମର ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇଛ‌ନ୍ତି । ଚାଷୀ ବ୍ୟାଙ୍କ, ମହାଜନୀ ୠଣ, ଅଳଙ୍କାର ବିକ୍ରି କରି ଏ ବର୍ଷ ଉତ୍ତମ ଚାଷ କରି ସୁଫସଲ ଆଦାୟ କରିଛି । ଏବେ ଧାନ ବିକ୍ରି କରି ୠଣ ପୈଠ କରିବା ପାଇଁ ଆଶା କରିଛି । ଅନ୍ୟପଟେ ପ୍ରଶାସନ ଟୋକନ ଯୋଗାଇ ବାରେ ଭୂଆଁ ବୁଲାଉଛି । ଚାଷୀ ବାରମ୍ବାର ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଉଥିଲେ ସୁଦ୍ଧା ଫଳ ଶୂନ ! ଘଟଣାର ଅନୁସନ୍ଧାନରୁ ଜଣାଯାଏ ଯେ, ଓଡିଶା ରାଜ୍ୟ ସରକାର ବା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କୃଷକ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଦେଇଥିବା ବେଳେ ତାଙ୍କର ନିକଟବର୍ତ୍ତି ଥିବା ଏଠିକାର ରାଜନେତାଙ୍କ ଚାପରେ ପ୍ରଶାସନ ସବୁ ଜାଣି ଅଜଣା ପରି ରହିବା ସହ ଚାଷୀକୁ କ୍ଷତି ପହଞ୍ଚିଉଛି । ଏହି ମଣ୍ତିର ଧାନ କିଣିବା ପାଇଁ ଉତ୍କଳ ସ୍ବୟଂ ସହାୟକ ଗୋଷ୍ଠୀକୁ କାର୍ୟ୍ୟଦେଶ ମିଳିଛି । ଗତ ତା ୧୦/୯/୨୦ ଦିନ ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ଯୋଗାଣ ନିରୀକ୍ଷକ ଏବଂ ଏସିସିଓ ପଦ୍ମପୁର ଚାଷୀଙ୍କ ନିକଟବର୍ତ୍ତି ହୋଇ ଉତ୍କଳ ସ୍ବୟଂ ସହାୟକ ଗୋଷ୍ଠୀକୁ ସୁଚାରୁ ରୂପେ କାର୍ୟ୍ୟ ତୁଲାଉଥିବା ବିଷୟରେ ସ୍ପଷ୍ଟ ହୋଇଥିଲେ ।

ଗତ ତା ୨୮/୧୦/୨୦ରେ ଧାନ କିଣିବା ପାଇଁ ତାଲିମ ଦେଇଥିଲେ । ତା ୭/୯/୨୦ରେ କଳାପଟା, ଡଷ୍ଟର, ବେନର କିଣିବା ପାଇଁ ନିର୍ଦ୍ଦେଶ ଦେବା ସହ ଭୂମିପୂଜା କରିଥିଲେ । କିନ୍ତୁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଥିଲେ ସୁଦ୍ଧା ପ୍ରଭାବଶାଳୀ ରାଜନେତା, ଦଲାଲଙ୍କ ଚାପରେ ଚୁପ ଅଛନ୍ତି ବିଭାଗୀୟ ପଦାଧିକାରୀ ବୋଲି ଚାଷୀମହଲରେ ଅଭିଯୋଗ ହେଉଛି । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ଅର୍ଥ ଲୋଭରେ ସ୍ବୟଂ ସହାୟକ ଓ ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀକୁ କ୍ଷତି ଓ ଅପମାନ ପହଞ୍ଚିଉଥିବା ବିଷୟ । ପ୍ରଶ୍ନ ଉଠୁଛି, ଏହି ବାର୍ତ୍ତା ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ ଓ ଚାଷୀ ପାଖରେ ପହଞ୍ଚିଲେ ସରକାର ଓ ପ୍ରଶାସନ ସମ୍ଭାଳି ପାରିବେ ତ ? ଏମିତି ଅନେକ ପ୍ରଶ୍ନ ହେଉଛି । ଆଜି ପୁଣି ଟୋକନ ଆଶାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛି ଜୟ କିଶାନ କୃଷକ ସଂଘ, ଭେଙ୍ଗରାଜପୁର । ଏବେ ଅପେକ୍ଷା ରହିଲା ଜିଲ୍ଲାପାଳ କାହାକୁ ନିରପେକ୍ଷ ଭାବେ ନ୍ୟାୟ ଯୋଗାଇବା ସହ ଟୋକନ ଯୋଗାଇବେ । ଚାଷୀଙ୍କ ମଧ୍ୟରେ ଏହା ଏକ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି ।

Leave A Reply

Your email address will not be published.