ସେବା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପାଟଣାଗଡ ମୁଖ୍ୟ ରାସ୍ତା ମରାମତି

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଏକ ପ୍ରମୁଖ ସହର । ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଯାନବାହାନ ଚଳାଚଳ ହେଉଛି । ଲକ୍ଷଲକ୍ଷ ଲୋକଙ୍କ ଲାଇଫ୍‌ଲାଇନ୍‌ ସାଜିଛି । ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିଲେ ସୁଦ୍ଧା କାହାରି ନିଘା ନାହିଁ । ସତେ ଯେମିତି ନେତା, ପ୍ରଶାସନ ଅନ୍ଧ ହୋଇ ଯାଇଛନ୍ତି । ରାସ୍ତା ମରାମତି ପାଇଁ ବିଭାଗୀୟ ଅବହେଳା ବା ଆନ୍ତରିକତାର ଅଭାବ ସ୍ପଷ୍ଟ ବାରି ହୋଇପଡୁଛି । ଏଭଳି ନିତିଦିନିଆ ସମସ୍ୟାର ଅସ୍ଥାୟୀ ସମାଧାନ ପାଇଁ ଶେଷରେ ଅଂଟା ଭିଡିଛି ସ୍ୱେଚ୍ଛାସେବୀ ସଂଗଠନ ସେବା ଚାରିଟେବୁଲ ଟ୍ରଷ୍ଟ । ବ୍ରହ୍ମପୁରା ଛକ ଠାରୁ ରାମପୁର ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ରାସ୍ତାକୁ ସାଜିଡିଛନ୍ତି ଏହି ସଂଗଠନର କର୍ମକର୍ତା । ବର୍ଷ ବର୍ଷ ଧରି ପାଟଣାଗଡ ସହରର ଏହି ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଅନେକ ବର୍ଷ ହେଲା ମରାମତି ହୋଇନଥିବା ବେଳେ ଖାଲଖମାରେ ଭର୍ତି ହୋଇପଡିଥିଲା ମୁଖ୍ୟ ରାସ୍ତା । ଏ ବିଷୟରେ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଅଭିଯୋଗ ଜଣାଇଛନ୍ତି । ଏହି ରାସ୍ତାରେ ସାଂସଦ ସବୁ ଦିନ ଯାଉଛନ୍ତି, ବିଧାୟକଙ୍କ ଘର ସାମ୍ନାରେ ଆଣ୍ଠୁଏ ଖାଲ ହେଲେ ର।।ସ୍ତାର ଅବସ୍ଥାର ସୁଧାର ପାଇଁ କାହାରି ନିଘା ନାହିଁ । ଯାହାଫଳରେ ଆଜି ସେବା ଟ୍ରଷ୍ଟର ୬୦ ଜଣ ସଦସ୍ୟ ନିଜ ଉଦ୍ୟମରେ ରାସ୍ତା ସଜାଡିବାକୁ ପହଂଚିଛନ୍ତି ଏବଂ ନେତା, ରାଜନେତାଙ୍କ ଉପରେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି । ଟ୍ରଷ୍ଟ ସଦସ୍ୟମାନେ ଟ୍ରାକ୍ଟର ସାହାଯ୍ୟରେ ପଥରଗୁଣ୍ଡ ପକାଇ ପାଣି ଦେଇ ଖାଲଖମା ସମତୁଲ କରିଛନ୍ତି । ବ୍ରହ୍ମପୁରା ଛକ ଠାରୁ ରାମପୁର ପର୍ଯ୍ୟନ୍ତ ୪ କିମି ରାସ୍ତା ଦିନସାରା ମରାମତି କରି ଅଂଚଳ ପାଇଁ ସେବାର ଉଦାହରଣ ସୃଷ୍ଟି କରିଛନ୍ତି । ସମାଜସେବାରେ ନିଜକୁ ଗୁଣ୍ଡୁଚିମୁଷାର ପରିଚୟ ଦେଇ ଏଭଳି ସେବା କାମ କରିବାକୁ ଶପଥ ନେଇଥିବା କହଛନ୍ତି ଟ୍ରଷ୍ଟ ସଭାପତି । ତେବେ ସେବା ଚାରିଟେବୁଲ ଟ୍ରଷ୍ଟର ଏଭଳି କାମ ପରେ ଅଂଚଳବାସୀ ପ୍ରଶଂସା କରିଥିବା ବେଳେ ରାଜନେତା ଏବଂ ପ୍ରଶାସନର ଅପାରଗତା ପଦାରେ ପଡିଯାଇଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.