
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଅବସରରେ ଆଜି ଲୋଇସିଂହାସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ସାମାଜିକ ଅନୁଷ୍ଠାନ ‘ଡିବ୍ରି’ ପକ୍ଷରୁ ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର, ରକ୍ତଦାନ ଶିବିର ଏବଂ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପୁଷ୍ପାଞ୍ଜଳି ମିଶ୍ର, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ, ସରପଞ୍ଚ ଉପରବାହାଲ କ୍ଷୀରାଦ୍ରୀ ସାହୁ, ପ୍ରଧାନଆଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରଘୁ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଚିକିତ୍ସକ ଓ ଅଧିକାରୀମାନେ ଯୋଗଦେଇଥିଲେ । ଏହି ଶିବିରରେ ଶିଶୁଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କୁ ଆୟୁର୍ବେଦ, ହୋମିଓପାଥି, ଫିଜିଓଥେରାପି ସମେତ ବିଭିନ୍ନ ବିଭାଗରେ ନିଶୁଳ୍କ ଚିକିତ୍ସା ଯୋଗାଇ ଦିଆଯାଇଥିଲା । ମୋଟ ୧,୧୩୯ ଜଣ ମହିଳା ଓ ପୁରୁଷ ଏହି ଶିବିରରେ ଚିକିତ୍ସା ସେବା ପାଇବା ସହ ମାଗଣାରେ ଔଷଧ ଗ୍ରହଣ କରିଥିଲେ । ଏଥିସହିତ ଇସିଜି ସମେତ ବିଭିନ୍ନ ରୋଗ ନିରାକରଣ ପରୀକ୍ଷା କରାଯିବା ସହ ଆବଶ୍ୟକତା ଅନୁଯାୟୀ ମାଗଣା ଚଷମା ମଧ୍ୟ ବଣ୍ଟନ କରାଯାଇଥିଲା । ୧୧୪ ଜଣ ଦିବ୍ୟାଙ୍ଗ ଓ ବୟସ୍କମାନଙ୍କ ସହାୟତା ପାଇଁ ଭାରତ ସରକାରଙ୍କ ALIMCO ପକ୍ଷରୁ ତିନିଚକିଆ ସାଇକେଲ, ଶ୍ରବଣ ଯନ୍ତ୍ର, ଅଣ୍ଟା ବେଲ୍ଟ ଆଦି ବିଭିନ୍ନ ସହାୟତା ଉପକରଣ ମାଗଣାରେ ବଣ୍ଟନ କରାଯାଇଥିଲା । ଅନ୍ୟପକ୍ଷରେ, ଆୟୋଜିତ ରକ୍ତଦାନ ଶିବିରରେ ୭୩ ଜଣ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ମାନବିକତାର ଉଦାହରଣ ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରେ ଉପସ୍ଥିତ ଅତିଥି ଓ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମକୁ ସିଧାସଳଖ ଶୁଣିଥିଲେ । ଏହି ବିଶାଳ ସ୍ୱାସ୍ଥ୍ୟ ଶିବିରକୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ଗୋପବନ୍ଧୁ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ, ବିକାଶ ହସ୍ପିଟାଲ, ବରଗଡ଼, ମହାନଦୀ ନେତ୍ର ଚିକିତ୍ସାଳୟ, ବୀରମିତ୍ରପୁର, କୃଷ୍ଣା ଡାଏଗ୍ନୋଷ୍ଟିକ୍, ଆଲକୋ ଏବଂ ପଲ୍ଲୀ ଆଲୋକ ପାଠାଗାର ସମେତ ବିଭିନ୍ନ ଅନୁଷ୍ଠାନ ସହଯୋଗ କରିଥିଲେ । ଲୋଇସିଂହା ନିର୍ବାଚନମଣ୍ଡଳୀର ଲୋକମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ପ୍ରତି ମାସର ଶେଷ ରବିବାର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଭଳି ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ନିୟମିତ ଭାବେ ଆୟୋଜନ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି ।