om academy

ସରୁନି ଦାଦନ ଦୁଃଖ : ଟଙ୍କା ଅଭାବରୁ ନର୍ସିଂହୋମ୍‌ରେ ବନ୍ଧାପଡ଼ିଛି ଚୁମ୍‌କିଙ୍କ ଶବ, ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରୁନି ଦାଦନ ଦୁଃଖ । ଗୋଟିଏ ପଟେ କରୋନା ମହାମାରୀର ପ୍ରଚଣ୍ଡ ପ୍ରହାର, ଅନ୍ୟପଟେ ପେଟ ପାଟଣାର ବିକଳ ସ୍ଥିତି । ବାଧ୍ୟହୋଇ ଏଠାକାର ଶ୍ରମିକ ଦାଦନ ଶ୍ରମିକ ସାଜି ବାହାର ରାଜ୍ୟକୁ ଯାଉଥିବା ବେଳେ ସେମାନଙ୍କ ଦୁଃଖ ଆହୁରି ଆହୁରି ବଢ଼ି ଚାଲିଛି । ପୁଣି ଏକ ଦାଦନ ଦୁଃଖ ଆଖି ସାମ୍‌ନାକୁ ଆସିଛି । ଟଙ୍କା ଅଭାବରୁ ନର୍ସିଂହୋମ୍‌ରେ ବନ୍ଧା ପଡ଼ିଛି ଚୁମ୍‌କିଙ୍କ ଶବ । ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ବ୍ଲକ ବାରବନ୍ଧ ଗାଁର ପତିପତ୍ନୀ ଚୁମ୍‌କି ବାଗ, ରୋହିତ ବାଗ ଏବଂ ରୋହିତଙ୍କ ମା’ ହାଇଦ୍ରାବାଦକୁ ଇଟା ଗଢ଼ା କାମ ପାଇଁ ଯାଇଥିଲେ । ଚୁମକି ବାଗ୍‌ ଗର୍ଭବତୀ ଥିବା ହେତୁ ସେଠାରେ ସ୍ଥାନୀୟ ହସ୍ପିଟାଲରେ ପ୍ରସବ କରାଇବା ପାଇଁ ରୋହିତ ଚାହୁଁ ଥିବାବେଳେ ଡାକ୍ତର ସିଏସ୍‌ କରାଇବା ପାଇଁ କହିଥିଲେ । ସେଥିପାଇଁ ସେ ସ୍ତ୍ରୀଙ୍କୁ ନେଇ ମା’ଙ୍କ ସହ ଗାଁକୁ ଫେରୁଥିବା ସମୟରେ ଚୁମ୍‌କିଙ୍କ ବିଶାଖାପାଟଣା ଠାରେ ପ୍ରସବ ଯନ୍ତଣା ଆରମ୍ଭ ହୋଇଥିଲା । ସ୍ୱାମୀ ରୋହିତ ସ୍ଥାନୀୟ କିଙ୍ଗହିସ୍‌ ନର୍ସିଂହୋମ୍‌ରେ ସ୍ତ୍ରୀଙ୍କୁ ଭର୍ତ୍ତି କରିଥିଲେ । କିନ୍ତୁ ନର୍ସିଂହୋମ୍‌ରେ ଆଜି ପୂର୍ବାହ୍ନରେ ଚୁମ୍‌କିଙ୍କ ଜୀବନ ଚାଲି ଯାଇଥିଲା । ତେବେ ନର୍ସିଂହୋମ୍‌ ଚୁମ୍‌କିଙ୍କ ଶବ ଦେବା ପାଇଁ ୩୫ ହଜାର ଟଙ୍କା ଦାବୀ କରିଥିବା ବେଳେ ଗରିବ ଦାଦନ ଶ୍ରମିକ ଓ ତାଙ୍କ ମା’ ସେଠାରେ ପଡ଼ି ରହିଥିବା ଖବର ସୋସିଆଲ୍‌ ମିଡ଼ିଆରେ ଘୁରି ବୁଲୁଛି । ତେବେ ଯଥାଶୀଘ୍ର ଚୁମ୍‌କିଙ୍କ ଶବ ମୁରିବାହାଲ୍‌କୁ ଅଣାଯିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବୀ ହେଉଥିବା ଦେଖିବାକୁ ମିଳିଛି । ଚୁମ୍‌କିଙ୍କ ଶବ ତୁରନ୍ତ ଅଣାଯିବାକୁ ପ୍ରଶାସନ ବ୍ୟବସ୍ଥା କରିବା ସହ ରୋହିତଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ବଲାଙ୍ଗିର ଜିଲ୍ଲା ଦଳିତ ଅଧିକାର ମଂଚ ପକ୍ଷରୁ ମଧ୍ୟ ଦାବୀ କରାଯାଇଛି ଯେ,

ଏଠାରେ ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲାରେ ଦାଦନ ଦୁଃଖ ନିତିଦିନିଆ ଘଟଣାରେ ପରିଣତ ହୋଇ ସାରିଥିବା ବେଳେ ଏଥିପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି । ଦାଦନ ଶ୍ରମିକଙ୍କ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି । ପ୍ରଶାସନ ଦାଦନ ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.