jayashree

ଟୋକନ କଟିଲେ ଚାଷୀ ଆନ୍ଦୋଳନ ତେଜିବ : ବିଧାୟକଙ୍କୁ ଆଗୁଆ ଚେତାବନୀ

ବରଗଡ଼, (ମୁନ୍ନା ସାହୁ) : ଧାନ କିଣାରେ ଟୋକନ ସମସ୍ୟା ଉପୁଜିଲେ ଚୁପ୍ ବସିବେନି ଚାଷୀ । ଚାଷୀଙ୍କ ଟୋକନ କାଟିବା ଏବଂ ଧାନ କିଣାରେ ଅନିୟମିତତାକୁ ନେଇ ଏବେଠୁ ତେଜିଲାଣି ଅସନ୍ତୋଷ । ଛଅ ଦଫା ଦାବି ନେଇ ବିଧାୟକଙ୍କୁ ଘେରିଛି ଜୟ କିଷାନ ଆନ୍ଦୋଳନ । ବରଗଡ଼ ଜିଲ୍ଲା ଭଟଲି, ସୋହେଲା ଓ ଅମ୍ବାଭୋନା ବ୍ଲକର ଦୁଇ ଶହରୁ ଅଧିକ ଚାଷୀ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଚାଷୀଙ୍କ ମୁଖ୍ୟ ଦାବି ମଧ୍ୟରେ ଏଗ୍ରୀଷ୍ଟାକ ବ୍ୟବସ୍ଥାକୁ ଧାନ କିଣାରୁ ବାଦ୍ ଦେବା, ପଞ୍ଜିକୃତ ଚାଷୀଙ୍କ ସମସ୍ତ ଜମି ପାଇଁ ଟୋକନ ପ୍ରଦାନ, କୌଣସି ଚାଷୀଙ୍କ ଟୋକନ ନକାଟିବା ଏବଂ ଏକର ପ୍ରତି ଅତି କମରେ ୨୦ କ୍ୱିଣ୍ଟାଲ ଧାନ କିଣିବା ଆଦି ରହିଛି । ଏହାସହ ମିଲ୍ ମାଲିକଙ୍କ ଉପରେ ନିର୍ଭର ନକରି ସରକାରୀ ସ୍ତରରେ କ୍ୟାପ୍ ଷ୍ଟୋରେଜ୍ ବ୍ୟବସ୍ଥା କରିବା ଏବଂ ଜିଲ୍ଲାସ୍ତରୀୟ କ୍ରୟ କମିଟିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଚାଷୀଙ୍କ ଅଭିଯୋଗ ଅନୁସାରେ, ସରକାର କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେଉଥିବା କହୁଥିବା ବେଳେ ମଣ୍ଡିରେ କଟନୀଛଟନୀ, ଦଲାଲଙ୍କ ଦୌରାତ୍ମ୍ୟ ଓ ମିଲରଙ୍କ ଶୋଷଣ ବଢ଼ିଚାଲିଛି । କେତେବେଳେ ବଂଶାବଳୀ ଯାଞ୍ଚ ତ ଆଉ କେତେବେଳେ ଏଗ୍ରୀଷ୍ଟାକ ଭଳି ବ୍ୟବସ୍ଥା ନାଁରେ ଚାଷୀଙ୍କୁ ହଇରାଣ କରାଯାଉଛି । ଟୋକନ ନମିଳିବାରୁ ଅନେକ ଚାଷୀ ସରକାରୀ ଧାର୍ଯ୍ୟ ମୂଲ୍ୟଠାରୁ କ୍ୱିଣ୍ଟାଲ ପ୍ରତି ପ୍ରାୟ ଏକ ହଜାର ଟଙ୍କା କମ୍‌ରେ ଧାନ ବିକିବାକୁ ବାଧ୍ୟ ହେଉଥିବା ଆନ୍ଦୋଳନକାରୀ କହିଛନ୍ତି । ଅନ୍ୟପଟେ ଜିଲ୍ଲାର ୧ ଲକ୍ଷ ୮୬ ହଜାର ୬୩୩ଟି ପ୍ଲଟକୁ ସନ୍ଦିଗ୍ଧ ଘୋଷଣା କରାଯାଇଥିବା ବେଳେ ଭଟଲି ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକରେ ୫୬ ହଜାର ୫୬୫ଟି ପ୍ଲଟ ଏହି ତାଲିକାରେ ରହିଛି । ଚାଷ ହୋଇଥିବା ଜମିକୁ ମଧ୍ୟ ସାଟେଲାଇଟ୍ ଯାଞ୍ଚରେ ଚାଷ ହୋଇନଥିବା ଦର୍ଶାଯାଇ ଟୋକନ କାଟି ଦିଆଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ତଥ୍ୟ ଅନୁସାରେ, ସୋହେଲା ବ୍ଲକରେ ୧୮ ହଜାର ୩୨୦, ଭଟଲିରେ ୧୨ ହଜାର ୫୪୨ ଏବଂ ଅମ୍ବାଭୋନାରେ ୭ ହଜାର ୭୪୫ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ମୋଟ ୩୮ ହଜାର ୬୦୭ ଚାଷୀଙ୍କ ଟୋକନ କାଟିବା ଭଳି ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି । ପଡ଼ୋଶୀ ଛତିଶଗଡ଼ ଓ ହରିୟାଣାରେ ଏକର ପ୍ରତି ଅଧିକ ପରିମାଣର ଧାନ କିଣାଯାଉଥିବା ଉଦାହରଣ ଦେଇ ଓଡ଼ିଶାରେ ମାତ୍ର ୧୩ କ୍ୱିଣ୍ଟାଲ ଧାନ କିଣାଯିବାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ବିଧାନସଭା ଅଧିବେଶନରେ ଚାଷୀଙ୍କ ଏହି ସମସ୍ୟା ଉଠାଇବା ସହ ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଧାୟକଙ୍କୁ ଦାବି ଜଣାଇଛନ୍ତି । ଏହି ଆଲୋଚନାରେ ଜୟ କିଷାନ ଆନ୍ଦୋଳନର ଜିଲ୍ଲା ସମ୍ପାଦକ ହର ବଣିଆଁଙ୍କ ସମେତ ବିଭିନ୍ନ ବ୍ଲକର କର୍ମକର୍ତ୍ତା ଓ ଚାଷୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.