
ରାଉରକେଲା, (ସସ୍ମିତା ପ୍ରଧାନ) : ସମାଜ ପ୍ରତି ହୃଷୀକେଶ ରାୟଙ୍କ ଅବଦାନକୁ ସ୍ୱୀକୃତି ଦେଇ ରାଉରକେଲାର ଛେଣ୍ଡ କଲୋନୀ ସ୍ଥିତ ହୃଷୀକେଶ ରାୟ ମହାବିଦ୍ୟାଳୟରେ ଶନିବାର ଦିନ ପ୍ରବୀଣ ରାଜନେତା ଏବଂ ସମାଜସେବୀ ସ୍ୱର୍ଗତ ହୃଷୀକେଶ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦ୍ୱାରା ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ । ଏଠାରେ ସ୍ମରଣଯୋଗ୍ୟ ଯେ, ୧୯୮୦ ଦଶକରେ ରାଉରକେଲା ଡେଲି ମାର୍କେଟ ଟାଉନ୍ ହାଇସ୍କୁଲ ପରିସରରେ ‘ସିଟି କଲେଜ’ ଭାବରେ ଏହି କଲେଜ ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ, ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ପିତା ହୃଷୀକେଶ ରାୟଙ୍କ ସ୍ମୃତିରେ ଏହି ଅନୁଷ୍ଠାନକୁ ହୃଷୀକେଶ ରାୟ କଲେଜ ନାମକରଣ କରାଯିବା ସହିତ ଛେଣ୍ଡ କଲୋନୀକୁ ସ୍ଥାନାନ୍ତରିତ କରାଯାଇଥିଲା । କଲେଜ ପରିସରରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଉନ୍ମୋଚନ ସହିତ ଅନୁଷ୍ଠାନ ପକ୍ଷରୁ ତାଙ୍କର ସ୍ଥାୟୀ ଅବଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହା ନିଶ୍ଚିତ କରେ ଯେ, ତାଙ୍କ ସ୍ମୃତି ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ । ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ସମେତ ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖପାତ୍ର ଧିରେନ ସେନାପତି, ସାମାଜିକ କର୍ମୀ ହରିହର ରାଉତରାୟ, ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ପ୍ରତିନିଧି ରଞ୍ଜିତ ନାୟକ, ସାଂସଦଙ୍କ ପ୍ରତିନିଧି ଜେଣ୍ଟଲ ପରିଡା, ଅବିନାଶ ପ୍ରଧାନ, ନୀରଜ ଚତୁର୍ବେଦୀ, ପ୍ରଭାସ ମହାନ୍ତି, ଜର୍ଜ ଆନନ୍ଦଙ୍କ ସମେତ ମିନତୀ ଦେବତା, ଅମିତାଭ ସାମଲ, ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ସମେତ ମହାବିଦ୍ୟାଳୟର ବହୁସଂଖ୍ୟକ ଛାତ୍ରଛାତ୍ରୀମାନେଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।