pakka

ଜାତୀୟ ସ୍ତରର କୁଇଜ୍‌ ପ୍ରତିଯୋଗିତାରେ ରାଉରକେଲା ଛାତ୍ରଙ୍କ ସଫଳତା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଏକ ଜାତୀୟ ସ୍ତରର କୁଇଜ୍‌ ପ୍ରତିଯୋଗିତା ଇନ୍‌କ୍ୟୁବି-୨୦୨୨ରେ ରାଉରକେଲା ସ୍ଥିତ ଏନ୍‌ଆଇଟି ବା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର କ୍ରିଷ୍ଣା ଆଦିତ୍ୟ ମହାନ୍ତି ଓ ସିଦ୍ଧାର୍ଥ ରାୟ ଉପବିଜେତା ହୋଇଛନ୍ତି । ଏନ୍‌ଆଇଟି ରାଉରକେଲାର ଇନ୍‌କୁଇଜିଟିଭ୍ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଶିବ ନାଦାର ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଇନ୍‌କ୍ୟୁବି-୨୦୨୨ ନାମକ ଏକ ଜାତୀୟ ବିଜିନେସ କୁଇଜ୍‌ ଅନୁଷ୍ଠିତ ହୋଇଥିଲା । ସାରା ଦେଶର ୨୮ଟି ରାଜ୍ୟରୁ ୨୦୦ଟି ବିଭିନ୍ନ ବର୍ଗର ମହାବିଦ୍ୟାଳରୁ ୩୦୦୦ଟି ଦଳ ସହିତ ୧୦ ହଜାରରୁ ଅଧିକ ପ୍ରତିଯୋଗୀ ୫୦ରୁ ଅଧିକ ସହରରେ ପ୍ରଥମ ପର୍ଯ୍ୟାୟରେ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୩୨ଟି ଦଳ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୬ଟି ଦଳ କ୍ୱାର୍ଟର ଫାଇନାଲ ଓ ୧୨ଟି ଦଳ ସେମିଫାଇନାଲ୍‌କୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୬ଟି ଦଳ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ଏହି ୬ଟି ଦଳ ମଧ୍ୟରେ ପୂର୍ବ ଭାରତରୁ ଏକମାତ୍ର ଦଳ ଭାବେ ଏନ୍‌ଆଇଟି ରାଉରକେଲା ରହିଥିଲା । ୧୧ ତାରିଖ ରାତ୍ରରେ ସମ୍ପନ୍ନ ହୋଇଥିବା ଏହି କୁଇଜ୍‌ର ଫାଇନାଲ୍‌ ରାଉଣ୍ଡରେ ରାଉରକେଲା ଏନ୍‌ଆଇଟି ଦଳର କ୍ରିଷ୍ଣା ଓ ସିଦ୍ଧାର୍ଥଙ୍କ ଯୋଡ଼ି ତୃତୀୟ ସ୍ଥାନ ହାସଲ କରି ୪୦ ହଜାର ଟଙ୍କାର ନଗଦ ପୁରସ୍କାର ହାସଲ କରିଛନ୍ତି । ପୁରସ୍କାର ବିତରଣୀ ଉତ୍ସବରେ ଏଚସିଏଲ୍‌ ଟେକ୍ନୋଲୋଜିର ଅଧ୍ୟକ୍ଷା ତଥା ଶିବ ନାଦାରଙ୍କ କନ୍ୟା ରୋଶନୀ ନାଦାର ଯୋଗଦେଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.

nineteen + 12 =