
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୁଲିସକୁ ବଡ ସଫଳତା ମିଳିଛି । ୪୪ଟି ବାଇକ ଉଦ୍ଧାର କରିବା ସହ ବାଇକ ଚୋରି ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ । ଏ ସମ୍ପର୍କରେ ବୁଧବାର ସକାଳେ ଜୁନାଗଡ଼ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା । ଜୁନାଗଡ଼ ଥାନାରେ ଗତ ୧୩ ତାରିଖରେ ବାଇକ ଚୋରୀ ସମ୍ପର୍କରେ ଏକ ଅଭଯୋଗ ହୋଇଥିଲା । ଏହି ଚୋରି ଘଟଣାକୁ ଜୁନାଗଡ଼ ପୁଲିସ ଗୁରୁତ୍ୱ ପ୍ରଦାନ କରି ତଦନ୍ତ କରିଥିଲା । ଏହାପରେ ପୁଲିସ ଜୁନାଗଡ଼, ଧର୍ମଗଡ଼, କୋକସରା, ଆମପାଣି ଏବଂ ଗୋଲାମୁଣ୍ଡା ଥାନା ଅଞ୍ଚଳରୁ ଚୋରି ହୋଇଥିବା ୪୪ ଟି ବାଇକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ବାଇକ ଚୋରି ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ବାଇକ ଚୋରି କରୁଥିଲେ ଏବଂ ଅନ୍ୟ ତିନି ଜଣ ଚୋରି ବାଇକ ମାନଙ୍କୁ କମ୍ ଦାମ୍ରେ ଲୋକମାନଙ୍କୁ ବିକ୍ରି କରୁଥିଲେ । ଉଦ୍ଧାର ବାଇକମାନଙ୍କୁ ଶୀଘ୍ର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ଜୁନାଗଡ଼ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା, ଧର୍ମଗଡ଼ ଏସଡିପିଓ ଉର୍ଷିତା ଆଡେପୁ, ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ଉପସ୍ଥିତ ଥିଲେ ।