pakka

ଲିପ୍‌ସାମୟୀ ଦୁବେଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

bbehera
  • ଲୋକନାଟକରେ ଶୈଳେନ୍ଦ୍ର ଆଚାର୍ଯ୍ୟ, ଲଳିତକଳାରେ ପୃଥ୍ଵୀରାଜ ସିଂଦେଓ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟର ଅଗ୍ରଣୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ମହାବୀର ମହୋତ୍ସବ ଅବସରରେ ସମ୍ମାନିତ ହେବେ ମଦନପୁର ରାମପୁରର ତିନି ପ୍ରତିଭା । ଯୁବ ପର୍ବତାରୋହୀ, କବି ତଥା ଅଭିନେତ୍ରୀ ସୁଶ୍ରୀ ଲିପ୍‌ସାମୟୀ ଦୁବେଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ମଦନପୁର ରାମପୁର ନିବାସୀ ମିହିର କୁମାର ଦୁବେ ଓ ସୁଷମା ଦୁବେଙ୍କ ସୁପୁତ୍ରୀ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗୀତିକାର ସ୍ୱର୍ଗତ ପଦ୍ମନାଭ ଦୁବେଙ୍କ ଝିଅ ଲିପ୍‌ସା ହେଉଛନ୍ତି ରାଜ୍ୟର ପ୍ରଥମ ଅଧ୍ୟାପିକା ପର୍ବତାରୋହୀ । ରାଜ୍ୟ ତଥା ଦେଶର ବିଭିନ୍ନ ପର୍ବତାରୋହଣ ଅଭିଯାନରେ ସାମିଲ ହୋଇ ସେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସାହିତ୍ୟ ଓ ଅଭିନୟରେ ବି ତାଙ୍କର ଦକ୍ଷତା ରହିଛି । ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ତାଙ୍କ କବିତା ପ୍ରକାଶିତ ହେବା ସହ ବିଭିନ୍ନ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇପାରିଛନ୍ତି । ପୂର୍ବରୁ ସେ ଦେବଗିରି ଯୁବ ସମ୍ମାନ ସମେତ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ । ସଂପ୍ରତି ସେ କର୍ଲାମୁଣ୍ଡା ବ୍ଲକ୍ ତେରେସିଂହା କୌଶିକ ବାବା ଡିଗ୍ରୀ କଲେଜର ଅଧ୍ୟକ୍ଷା ଭାବେ କାର୍ଯ୍ୟରତ । ସେହିପରି ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ଲଳିତକଳା ଶିଳ୍ପୀ ପୃଥ୍ଵୀରାଜ ସିଂଦେଓଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବ । ଭାରତ ତଥା ବିଦେଶରେ ବିଭିନ୍ନ ଜାଗାରେ ତାଙ୍କର କଳାକୃତି ଉଚ୍ଚ ପ୍ରଶଂସିତ ହୋଇଛି । ଏଥିପାଇଁ ସେ ଜାପାନ ସରକାରୀ ବୃତ୍ତି, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବୃତ୍ତି, ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ସମେତ ବହୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ସଂପ୍ରତି ସେ ଗୁଜରାଟ ଭୁଜ ସ୍ଥିତ କୁଚ୍ ପୋଟର୍ ଅନୁଷ୍ଠାନରେ ଉପଦେଷ୍ଟା ଭାବେ ଅବସ୍ଥାପିତ । ଏଥିସହ ଲୋକନାଟକ କ୍ଷେତ୍ରରେ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ସମ୍ମାନ ପ୍ରଦାନ କରାଯିବ । ମଦନପୁର ରାମପୁର ମହାବିଦ୍ୟାଳୟରେ ଅଧ୍ୟାପନାରତ ଶ୍ରୀ ଆଚାର୍ୟ୍ୟ ଦୀର୍ଘ ବର୍ଷ ଧରି ଲୋକକଳା ଓ ଲୋକନାଟକ କ୍ଷେତ୍ରରେ ଗବେଷଣାରତ । ରାମଲୀଳା, କାମନା ଦଣ୍ଡ ସମେତ ଅନେକ ନାଟକ ରଚନା ଓ ନିର୍ଦ୍ଦେଶନା ଦେଇ ସେ କଳାହାଣ୍ଡି ନାଟ୍ୟକଳାର ପୁନର୍ଜାଗରଣରେ ବ୍ରତୀ ଅଛନ୍ତି । ଲୋକ ନାଟକ ଧାରାରେ ସେ ଅନେକ ପରୀକ୍ଷା ନିରୀକ୍ଷା କରି ସଫଳ ହେବା ସହ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଉକ୍ତ ପ୍ରତିଭା ତ୍ରୟଙ୍କୁ ଯୁଗଯାତ୍ରୀ ସାହିତ୍ୟ ସଂସଦ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଗ୍ଲୋବାଲ୍ ଲାଇଫ୍‌ରେଚର୍ ଫାଉଣ୍ଡେସନ୍‌ ତଥା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

fourteen − six =