pakka

ଅନ୍ୟ ପାଇଁ ବଞ୍ଚବାର ସଂକଳ୍ପ ନେବା

bbehera
  • ଆଶୁତୋଷ ନାୟକ

ଏ ବିଶ୍ୱ ବ୍ରହ୍ମାଣ୍ଡରେ ମନୁଷ୍ୟ ସର୍ବଶେଷ୍ଠ ପ୍ରାଣୀ । ଆମ ହିନ୍ଦୁ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି ଯେ, ମନୁଷ୍ୟ ଜୀବନ ଅତି ଦୁର୍ଲଭ କାରଣ ଏହା ବିଶ୍ୱାସ କରାଯାଏ ଅନେକ ତପସ୍ୟା ଏବଂ ପୁଣ୍ୟ ବଳରେ ଏହି ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ । ବିଶ୍ୱର ଅନେକ ପ୍ରସିଦ୍ଧ ବୈଜ୍ଞାନିକଙ୍କ ଆକଳନ ଅନୁଯାଇ ୧୮ ଲକ୍ଷ ପ୍ରଜାତିର ଜୀବଙ୍କ ମଧ୍ୟରୁ ମନୁଷ୍ୟ ସର୍ବଶେଷ୍ଠ, ସର୍ବଶକ୍ତିମାନ, ବିଚକ୍ଷଣ ବୁଦ୍ଧି ସମ୍ପନ ପ୍ରାଣୀ । ସେଥିପାଇଁ ଶ୍ରୀମଦଭାଗବତମଂ ୭/ ୬/୨ରେ ଏହା ବର୍ଣ୍ଣିତ ଅଛି, “କୌମାର ଆଚରେତ ପ୍ରାଜ୍ଞ ଧର୍ମାନ ଭାଗବତାନିହ । ଦୁର୍ଲଭଂ ମାନୁଷଂ ଜନ୍ମ ତଦପ୍ୟ ଧ୍ରୁବମର୍ଥଦମ୍ ।’

ପରମ ଶାସ୍ତ୍ର ଭାଗବତରେ ଏହା ବର୍ଣ୍ଣିତ ରହିଛି ୮୪ଲକ୍ଷ ଜନ୍ମ ପରେ ଦୁର୍ଲଭ ମନୁଷ୍ୟ ଜନ୍ମ ମିଳିଥାଏ । ସେଥିପାଇଁ କୁହାଯାଇଛି ବାଲ୍ୟକାଳରୁ ମନୁଷ୍ୟକୁ ଈଶ୍ୱରଙ୍କ ଆଶ୍ରିତ ହେବା ଅତ୍ୟନ୍ତ ଆବଶ୍ୟକ କାରଣ ଏହି ଦୁର୍ଲଭ ମନୁଷ୍ୟ ଜନ୍ମ କ୍ଷଣିକ ଏବଂ ପରମାର୍ଥ ପ୍ରଦାନ କରିବାରେ ସମର୍ଥ । ଏ ବିଶ୍ୱବ୍ରହ୍ମାଣ୍ଡରେ ଦେଖାଯାଉଥିବା ସମସ୍ତ ସୁନ୍ଦର ବସ୍ତୁ ବଡ଼ ବଡ଼ ଅଟ୍ଟାଳିକାଠାରୁ ଆରମ୍ଭ କରି ନଦୀ ପୁଷ୍କରିଣୀ ଅରଣ୍ୟ ସାଗର ପର୍ଯ୍ୟନ୍ତ ସବୁଦିନ ମାଟିରେ ମିଶିବ । ଯାହାର ସୃଷ୍ଟି ହୋଇଛି ତାହାର ଧ୍ୱଂସ ସୁନିଶ୍ଚିତ ସେ ସଜୀବ ହୁଅନ୍ତୁ କିମ୍ବା ନିର୍ଜୀବ । ଏହା ଚିରନ୍ତନ ସତ୍ୟ । ମନୁଷ୍ୟ ଜୀବନ ମଧ୍ୟ କ୍ଷଣସ୍ଥାୟୀ । ପାଣି ଫୋଟକା ପରି ମନୁଷ୍ୟର ଆୟୁଷ ମଧ୍ୟ ଅତି ସଂକ୍ଷିପ୍ତ ।

ଜନ୍ମ ଏବଂ ମୁତ୍ୟୁ ମନୁଷ୍ୟର ନିୟଂତ୍ରଣରେ ନଥାଏ । ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ସୃଷ୍ଟିକର୍ତ୍ତା ଜଗତର ନାଥ ଜଗନ୍ନାଥଙ୍କ ନିର୍ଦେଶ ବିନା କୌଣସି କାର୍ଯ୍ୟ ହୋଇନଥାଏ । କିନ୍ତୁ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଏହି କି ଏକବିଂଶ ଶତାବ୍ଦୀର ଅହଙ୍କାରୀ ସ୍ୱାର୍ଥବାଦୀ ମନୁଷ୍ୟ କାମନା ବାସନା ଓ ମାୟାବନ୍ଧନରେ ଆବଦ୍ଧ ହୋଇ ଇଶ୍ୱରଙ୍କ ଅସିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ମୃତ୍ୟୁ କେତେବେଳେ କେଉଁ ରୂପରେ କାହା ମାଧ୍ୟମରେ ଆସିବ ତାହାକୁ କଳ୍ପନା କରିବା ମନୁଷ୍ୟ ପକ୍ଷରେ ଅସମ୍ଭବ । ତାହା କେବଳ ସୃଷ୍ଟିକର୍ତ୍ତା ପରମବ୍ରହ୍ମ ଅନାଥର ନାଥ କାଳିଆ ସାଆନ୍ତଙ୍କୁ ଜଣା ।

ଜିତେନ୍ଦ୍ର ଆୱଧ୍ୟ ଏନ୍‌ସିପି ଦଳର ନେତା ଏବେ ନିକଟରେ ଅତ୍ୟନ୍ତ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ହିନ୍ଦୁଙ୍କ ଆରାଧ୍ୟ୍ୟ ଦେବତା ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କୁ ଆମିଷ ଭକ୍ଷଣକାରୀ ବୋଲି ଦର୍ଶାଇଥିଲେ ଯାହାକି ଅଗଣିତ ହିନ୍ଦୁଙ୍କ ଭାବାବେଗ ଉପରେ କୁଠାରଘାତ କରିଛି । ସେହିପରି କଂଗ୍ରେସ ନେତା ଅଞ୍ଜନେୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ପ୍ରଭୁ ଶ୍ରୀରାମ ସହ ତୁଳନା କରିଛନ୍ତି ଏହା ଅତ୍ୟନ୍ତ ହୀନ ଏବଂ ଶସ୍ତା ରାଜନୀତି । ସମାଜବାଦୀ ଦଳର ନେତା ସ୍ୱାମୀ ପ୍ରସାଦ ମୌରିୟା ହିନ୍ଦୁ ଧର୍ମ ବିରୁଦ୍ଧରେ ଅତ୍ୟନ୍ତ ଆପତ୍ତିଜନକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହିପରି ଅନେକ କ୍ଷମତାପିପାଷୁ ରାଜନେତା ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବିଭିନ୍ନ ଧର୍ମ ବିରୋଧୀ ମନ୍ତବ୍ୟ ଦେବାରେ ପଛଘୁଞ୍ଚା ଦେଉନାହାନ୍ତି । କିଛି ଦିନ ପୂର୍ବରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଏବଂ ଡିଏମକେର ଅନ୍ୟତମ ବରିଷ୍ଠ ନେତା ଏ ରାଜା ହିନ୍ଦୁ ସନାତନ ଧର୍ମ ବିରୁଦ୍ଧରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ ଏବଂ ଦୁର୍ଭାଗ୍ୟଜନକ ।

କିଛିଦିନ ପୂର୍ବରୁ ଉଦୟନିଧି ଷ୍ଟାଲିନ କଳାକାର ଓ ଲେଖକଙ୍କ ପକ୍ଷରୁ ଆୟୋଜିତ ସଭାରେ ହିନ୍ଦୁ ସନାତନ ଧର୍ମ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ସେ ସନାତନ ଧର୍ମକୁ ଡେଙ୍ଗୁ ମେଲେରିଆ ସହିତ ତୁଳନା କରିଥିଲେ ଏବଂ ଏହାକୁ ସମ୍ପୂର୍ଣ୍ଣ ମୂଳ ଉତ୍ପାଟନ କରାଯିବା ଦରକାର ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏତାଦୃଶ ଘୃଣା ଏବଂ ହିଂସା ଉଦ୍ରେକକାରୀ ମନ୍ତବ୍ୟ ପାଇଁ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦେଶର ୨୬୦ ଜଣ ପ୍ରମୁଖ ବ୍ୟକ୍ତିବିଶେଷ ସର୍ବୋଚ୍ଚ ନ୍ୟାୟଳୟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟକୁ ଚିଠି ଲେଖିଛନ୍ତି । ଚିଠି ଲେଖିଥିବା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟଳୟର ପୂର୍ବତନ ବିଚାରପତି ଏସ୍‌ଏନ୍‌ ଧୀଙ୍ଗ୍ରା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଉଦୟନିଧି ଦେଇଥିବା ମନ୍ତବ୍ୟ ହିଂସା ଓ ଘୃଣା ସୃଷ୍ଟିକାରୀ । ସେଥିପାଇଁ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଏହାଛଡା ତାମିଲନାଡୁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ, ରାଜ୍ୟ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଦାବି କରାଯାଇଛି । ସେ ଚିଠିରେ ଆହୁରି ମଧ୍ୟ ଏହା ଉପସ୍ଥାପନ କରାଯାଇଛି କି ଭାରତ ଭଳି ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଘୃଣା ଉଦ୍ରେକକାରୀ ମନ୍ତବ୍ୟ ସମ୍ବିଧାନର ଧର୍ମ ନିରପେକ୍ଷ ଧାରା ଉପରେ ହସ୍ତକ୍ଷେପ ସଦୃଶ ବୋଲି ଚିଠିରେ ଉପସ୍ଥାପନା କରାଯାଇଛି ।

ଉଦୟ ନିଧିଙ୍କ ମନ୍ତବ୍ୟ ସହିତ ସମସ୍ଵରମିଳାଇ ଡି ଏମ୍ କେର ଅନ୍ୟତମ ବରିଷ୍ଠ ନେତା ଏ ରାଜା ସର୍ବପୁରାତନ ସନାତନ ଧର୍ମକୁ ସମାଜରେ ଘୃଣିତ ଏଚ୍‌ଆଇଭି (ଏଡସ୍) ଓ କୁଷ୍ଠ ରୋଗ ସହିତ ତୁଳନା କରିଛନ୍ତି । ଚେନ୍ନେଇର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏ ରାଜା ସନାତନ ଧର୍ମକୁ ଏଚ୍‌ଆଇଭି ଓ କୁଷ୍ଠ ରୋଗ ଭଳି ଘୃଣା କରାଯିବା ଦରକାର ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ବେଦ ଓ ଉପନିଷଦ କହେ ସନାତନ ହିନ୍ଦୁ ଧର୍ମ ସର୍ବପୁରାତନ ଓ ସର୍ବଶ୍ରେଷ୍ଠ । ମହାନ୍ ଦାର୍ଶନିକ ତଥା ମହାପୁରୁଷ ସ୍ଵାମୀ ବିବେକାନନ୍ଦ ହିନ୍ଦୁ ସନାତନ ଧର୍ମର ମୂଳମନ୍ତ୍ର ବସୁଧୈବ କୁଟୁମ୍ବକମ୍ ବାର୍ତ୍ତାକୁ ସାରା ବିଶ୍ଵରେ ପହଞ୍ଚାଇଥିଲେ ଏବଂ ସନାତନ ଧର୍ମର ପ୍ରକୃତ ଉଦ୍ଦେଶ୍ୟ ସରଳ ନିର୍ଭୁଲ ଓ ପ୍ରାଞ୍ଜଳ ଭାବରେ ତାର ବ୍ୟାଖ୍ୟା ଆମେରିକାର ଚିକାଗୋ ସହରରେ ନିଜର ଓଜସ୍ୱିନୀ ବକ୍ତୃତା ଦ୍ଵାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚିକାଗୋର ଧର୍ମ ସମ୍ମିଳନୀରେ ସେ ସନାତନ ହିନ୍ଦୁଧର୍ମକୁ ସଠିକ୍‌ ଭାବରେ ଉପସ୍ଥାପନ କରିଥିବାରୁ ଆମ ଦେଶ ଭାରତର ସଂସ୍କୃତି ଓ ପରମ୍ପରାର ମହାନତାର ଗାଥା ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଥିଲା ।

କ୍ଷମତା ପିପାସୁ ରାଜନେତା ସଂଖ୍ୟାଲଘୁ ସଂପ୍ରଦାୟକୁ ଖୁସି କରାଇବା ଲକ୍ଷ୍ୟରେ ଦିଆଯାଉଥିବା ହିନ୍ଦୁ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଅଗଣିତ ହିନ୍ଦୁଙ୍କ ଭାବାବେଗ ଉପରେ କୁଠାରଘାତ । ସଂଯମତା, ଶାଳୀନତା ଏବଂ ନୈତିକ ମୂଲ୍ୟବୋଧର ଅଭାବ ଥିବା ଏକବିଂଶ ଶତାବ୍ଦୀର ରାଜନେତା ଏହାକୁ ଭୁଲିଯାଇଛନ୍ତି ସର୍ବପୁରାତନ ସନାତନ ଧର୍ମର ଅପମାନ ଅର୍ଥ ଅନନ୍ତ କୋଟି ବ୍ରହ୍ମାଣ୍ଡନାୟକ ବଡଠାକୁର ଜଗତରନାଥ ଜଗନ୍ନାଥଙ୍କ ମର୍ଯ୍ୟାଦାହାନୀ । ହିନ୍ଦୁ ସନାତନ ଧର୍ମର ମୂଳମନ୍ତ୍ର ଅହିଂସା ।

ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ନିଜକୁ ସର୍ବଶେଷ୍ଠ ସର୍ବଶକ୍ତିମାନ ମନେକରୁଥିବା ଏକବିଂଶ ଶତାବ୍ଦୀର ମନୁଷ୍ୟ ପୁଳା ପୁଳା ଟଙ୍କା ବାଟି ବାଟି ସମ୍ପତ୍ତିର ଅଧିକାରୀ ହୋଇମଧ୍ୟ ଅନେକ ବ୍ୟକ୍ତି ଅଶାନ୍ତିରେ କାଳାତିପାତ କରୁଛନ୍ତି । ସବୁକିଛି ସୁଖ ସ୍ୱାଛଦ୍ୟ, ଦାମୀ ଗାଡି, ସୁରମ୍ୟ ଅଟ୍ଟାଳିକା, ସୁନା, ରୁପା, ହୀରା ଅଳଙ୍କାର ଥିଲେ ମଧ୍ୟ ମାନସିକ ଅବସାଦ ଏବଂ ଅତ୍ୟଧିକ ଚାପଗ୍ରସ୍ତ ହୋଇ ସୁଶାନ୍ତ ସିଂ ରାଜପୁତଙ୍କଠାରୁ ଆରମ୍ଭ କରି ଅନେକ ହିନ୍ଦୀ, ତେଲୁଗୁ, କନ୍ନଡ଼ ସିନେମା ଅଭିନେତା, ଉଚ୍ଚପ୍ରଦସ୍ତ ଅଧିକାରୀ, ପୋଲିସ ଅଫିସର, ଆଇଏସ୍‌ ଅଫିସର ଆତ୍ମହତ୍ୟାର ରାସ୍ତା ବାଛି ନେଉଛନ୍ତି । ଏହାର ଅନେକ ଦୃଷ୍ଟାନ୍ତ ରହିଛି ।

ନିଶାଦ୍ରବ୍ୟ ସେବନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଜାଣି ମଧ୍ୟ ମନୁଷ୍ୟ ନିଶାଦ୍ରବ୍ୟ ସେବନ କରୁଛି । ମଦ୍ୟପାନ ଠାରୁ ଆରମ୍ଭ କରି ପାନ, ଗୁଟକା, ସିଗାରେଟ, ହିରୋଇନ, ଡ୍ରଗସ ସେବନ କରି ନିଜ ଜୀବନକୁ ରସାତଳଗାମୀ କରିଦେଉଛି ଏବଂ ତା’ସହିତ ତାର ହସ ଖୁସି ପରିବାରକୁ ନଷ୍ଟ କରିଦେଉଛି । ସେଥିପାଇଁ ପରମଶାସ୍ତ୍ର ଭାଗବତରେ କୁହାଯାଇଛି ।

“ଆପଣା ହସ୍ତେ ଜିହ୍ୱା ଛେଦି
କେ ଅଛି ତାର ପ୍ରତିବାଦୀ”

ଏହାର ଅର୍ଥ ମନୁଷ୍ୟ ନିଜେ ନିଜକୁ ଧ୍ୱଂସ କରୁଛି । ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା ଅତ୍ୟନ୍ତ ମରାତ୍ମକ ବ୍ୟାଧି ଯେପରି କ୍ୟାନସର, ଶ୍ୱାସ ରୋଗ, ହୃଦରୋଗ, କିଡ଼ନୀ ଜନିତ ଗମ୍ଭୀର ରୋଗ ଏହିପରି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ମନୁଷ୍ୟଠାରେ ପରିଲକ୍ଷିତ ହେଉଛି । ଏବେ ନିକଟରେ ଓଡ଼ିଆ ସିନେ ଜଗତରେ ଜଣେ ଆଗଧାଡିର ଅଭିନେତା ସାତ୍ୟକି ମିଶ୍ର ସମଗ୍ର ଓଡିଶାବାସୀଙ୍କୁ ନିଜର ଭିଡିଓ ସନ୍ଦେଶ ମାଧ୍ୟମରେ ନିଶାଦ୍ରବ୍ୟ ସେବନ ନକରିବା ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ ନିଜେ ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା କିପରି ଏକ ବର୍ଷ ଧରି ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରି କଷ୍ଟ ପାଇଛନ୍ତି ତାହା ଉପସ୍ଥାପନା କରିଛନ୍ତି । ଆମ ସମାଜରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଧନ ସମ୍ପତ୍ତିକୁ ନିଜର ସର୍ବସ୍ୱ ମନେକରନ୍ତି । ସ୍ନେହ, ପ୍ରେମ, ଆନ୍ତରିକତା, ମାନବିକତା, ଦୟା, କ୍ଷମା, ଆଦର୍ଶତା, ନିଷ୍ଠା, ନୈତିକ ମୂଲ୍ୟବୋଧ, ନିସ୍ୱାର୍ଥପରତା, ତ୍ୟାଗ ସେମାନଙ୍କ ପାଇଁ ମୂଲ୍ୟହୀନ । ନିଜର ଏବଂ ନିଜ ପରିବାର ବ୍ୟତୀତ ଅନ୍ୟ କଥା ଭାବିବା ପାଇଁ ତାଙ୍କ ପାଖରେ ସମୟ ନଥାଏ । ସେମାନେ ସଦାସର୍ବଦା ନିଜର ସ୍ୱାର୍ଥ ପାଇଁ ଅନ୍ୟମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିଥାନ୍ତି । ଆପେ ବଞ୍ଚିଲେ ବାପର ନାଁ ନୀତିରେ ସେମାନେ ସଦାସର୍ବଦା କାର୍ଯ୍ୟ କରନ୍ତି ।

ଏକବିଂଶ ଶତାବ୍ଦୀର ସ୍ୱାର୍ଥବାଦୀ ମନୁଷ୍ୟ ଅହଂକାରରେ ବଶବର୍ତ୍ତୀ ହୋଇ ଅର୍ଥ ଏବଂ ପ୍ରାଚୁର୍ଯ୍ୟ ବଳରେ ଅନ୍ଧ ହୋଇ ନିଜକୁ ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ ମନେକରୁଛି । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକି କଳିଯୁଗ ମନୁଷ୍ୟର ଉଦ୍ଧତ୍ୟ ଏବେ ଚରମସୀମାରେ । ଇଶ୍ୱରଙ୍କ ସୁନ୍ଦର ସୃଷ୍ଟି ପ୍ରକୃତିକୁ ଧ୍ୱଂସ କରିବାରେ ସେ ବ୍ୟଗ୍ର । ଅନେକ ଜଙ୍ଗଲ, ଗଛଲତାକୁ ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ ଧ୍ୱଂସ କରିଦେଉଛି । ଏହାଛଡା ନିରୀହ ପଶୁ, ପକ୍ଷୀଙ୍କ ଉପରେ ସ୍ୱାର୍ଥବାଦୀ ମନୁଷ୍ୟ ନିଷ୍ଠୁରତା, ବର୍ବରତା ଆଚରଣ କରୁଛି । କେତେବେଳେ ସେମାନଙ୍କ ଉପରେ ଏସିଡ, ଗରମ ପାଣି ପକାଇଦଉଚି, ସେମାନଙ୍କ ଖାଉଥିବା ଖାଦ୍ୟରେ ବିଷ ମିଶାଇଦଉଚି ତ ଆଉ କେତେବେଳେ ସେମାନଙ୍କୁ ହତ୍ୟା କରି ସେମାନଙ୍କ ମାଂସ ଭକ୍ଷଣ କରୁଛି । ଝିଟିପିଟି ଯେପରି ରାତିସାରା ଅନେକ ପୋକ ଝିଣ୍ଟିକା ଖାଇ ପ୍ରାତଃ ସମୟରେ ମହାପୁରୁଷଙ୍କ ଫୋଟ ପଛପଟେ ଲୁଚି ଯାଏ ଏକ ବିଂଶ ଶତାବ୍ଦୀ ମନୁଷ୍ୟର ଚରିତ୍ର ଠିକ୍ ସେହିପରି ।

୧୪୦ଖଣ୍ଡ କାରରେ ବସି ବୁଲୁଥିବା ଏବଂ ୧୦୦୦୦କୋଟିରୁ ଅଧିକ ସମ୍ପତ୍ତିର ଅଧିକାରୀ ଥିବା ଆମ ଓଡିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ବହୁ ଚେଷ୍ଟା କରି ମଧ୍ୟ ନିଜ ଜୀବନ ବଞ୍ଚାଇପାରିନଥିଲେ । ଯଦି ପୁଳାପୁଳା ଟଙ୍କା ବାଟି ବାଟି ସମ୍ପତ୍ତି ବଳରେ ସବୁକିଛି ହୋଇପାରୁଥାନ୍ତା
ତା’ହେଲେ ସବୁ ନେତା, ମନ୍ତ୍ରୀ, ଅଫିସର ଅମର ହୋଇଯାଇଥାନ୍ତେ । ସେଥିପାଇଁ ଆମ ଶାସ୍ତ୍ରରେ କୁହାଯାଇଛି

“ଦଇବ ଦଉଡି ମଣିଷ ଗାଈ
ଯେଣିକି ଟାଣଇ ଶେଣିକି ଯାଇ”

ଆସନ୍ତୁ ଏଇ ନୂତନ ବର୍ଷକୁ ସ୍ୱାଗତ କରିବା ସହିତ ସଂକଳ୍ପ ନେବା ଆମ ରାଷ୍ଟ୍ର ତଥା ବିଶ୍ୱର କଲ୍ୟାଣ ପାଇଁ ଈଶ୍ୱରଙ୍କ ପାଖରେ ହାତଯୋଡ଼ି ପାର୍ଥନା କରିବା ଏବଂ ଅନ୍ୟ ପାଇଁ ବଞ୍ଚିବାର କଳା ଶିଖିବା, ନିଜ ମନ ଭିତରେ ଥିବା ଅହଂଭାବ ଓ ଆତ୍ମବଡ଼ିମା ପରିତ୍ୟାଗ କରିବା ।

ଗୋପାଳପୁର, ବାଲେଶ୍ୱର,
ମୋବାଇଲ-୭୦୨୦୬୧୧୩୦୦

jay balangir
Leave A Reply

Your email address will not be published.

1 × 2 =