କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ମାରି ଦେବାକୁ ଧମକ, ସହରର ୨ଟି ଜାଗାରେ ଲାଗିଛି ପୋଷ୍ଟର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ୧୫ ଦିନ ଭିତରେ ମାରି ଦେବାକୁ ଧମକ ଦିଆଯାଇ ସହରର ୨ଟି ଜାଗାରେ ପୋଷ୍ଟର ଲାଗିଥିବା ଆଜି ସକାଳୁ ଜଣାପଡ଼ିଛି । ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା କରିବା ସଂକ୍ରାନ୍ତରେ ପୋଷ୍ଟରରେ ଉଲ୍ଲେଖ ରହିଥିବା ବେଳେ ଲାଗିଥିବା ପୋଷ୍ଟରରେ ଜଣେ ଯୁବକଙ୍କ ଫଟୋ ମଧ୍ୟ ରହିଛି । କଂଟାବାଂଜି ସହରର ସରକାରୀ ବାଳିକା ସ୍କୁଲ ପାଖ ଷ୍ଟଲରେ ଓ ବଙ୍ଗୋମୁଣ୍ଡା ଯିବା ରାସ୍ତା ରିଲାଏନ୍ସ ପେଟ୍ରୋଲ ପମ୍ପ ଗୋରୁ ବଜାରପଡା ପାଖରେ ନାଲି ରଙ୍ଗର ପୋଷ୍ଟର ଲାଗିଥିବା ବେଳେ ଏଥିରେ ‘ଏମ୍‌ଏଲ୍‌ଏ ସନ୍ତୋଷ ସିଂ ସାଲୁଜା କେ ମୁଇଁ ୧୫ ଦିନ୍‌ ଭିତ୍‌ରେ ମାରିଦେମି’ ବୋଲି ଲେଖା ହୋଇଥିଲା । କଂଟାବାଂଜି ପୋଲିସ ୨ଟି ଯାକ ପୋଷ୍ଟର୍‌ ଜବତ୍‌ କରିବା ସହ ଜୋର୍‌ସୋର୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି । ପୋଷ୍ଟରରେ ଫଟୋ ରହିଥିବା ଯୁବକ ଜଣକ କିଏ, କେଉଁ ଉଦ୍ଦେଶ୍ୟରେ ଏଭଳି ପୋଷ୍ଟର୍‌ ଲଗାଯାଇଛି, ଏହି ଘଟଣା ପଛରେ କାହାର ହାତ ଅଛି, ସେସବୁ ଦିଗକୁ ତନ୍ନ ତନ୍ନ କରି ପରଖୁଛି ପୋଲିସ । କଂଟାବାଂଜି ଏସ୍‌ଡ଼ିପିଓ କହିଛନ୍ତି ଯେ, ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆମେ ତଦନ୍ତ ଜାରି ରଖିଛୁ । ସହରରେ ଲାଗିଥିବା ସିସିଟିଭି ଆଧାରରେ ମଧ୍ୟ ଯାଂଚ ଚାଲିଛି । ତଦନ୍ତ ପରେ ସତ ସାମ୍ନାକୁ ଆସିବ ।

Leave A Reply

Your email address will not be published.

eight − 8 =