ସହୀଦ ପରିବାରକୁ ଉଦାହରଣ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ନବଗଠିତ ସାମାଜିକ ଅନୁଷ୍ଠାନ ଉଦାହରଣ ତରଫରୁ ଭଞ୍ଜଭବନ ଠାରେ ସହୀଦ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦାହରଣ ଅନୁଷ୍ଠାନର ସଭାପତି ସିଆରପିଏଫ ଡିଆଇଜି ଦୟାନିଧି ତନ୍ତିଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିମଳ ବିଶିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର, ସମ୍ମାନିତ ଅତିଥି ଭାବେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ସିଆଇଏସଏଫ କମାଣ୍ଡେଣ୍ଟ ଅଶୋକ ଜାଲୁଆନିଆ, ସହାୟକ କମାଣ୍ଡେଣ୍ଟ ଡି. ଇଞ୍ଜିକର କିଣ୍ଡୋ, ଏନସିସି କର୍ଣ୍ଣେଲ ରମେଶ, ବଣିକ ସଂଘ ସଭାପତି ଶୁଭ ପଟ୍ଟନାୟକ, ତାରାଚାନ୍ଦ ପଟ୍ଟନାୟକ, ପ୍ରଫୁଲ୍ଲ ସୁନାନି ପ୍ରମୁଖ ଯୋଗଦେଇ ସହୀଦ ପରିବାରଙ୍କୁ ଉପଢୌକନ ମାନପତ୍ର ମୋମେଣ୍ଟୋ ଓ ଆର୍ଥିକ ସହାୟତା ଯୋଗାଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଉଦାହରଣ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି କହିଥିଲେ । ଜିଲ୍ଲାର ୧୩ ଜଣ ସହୀଦ ଅମ୍ରିତ କୁମାର ତିର୍କୀ, ଅନିଲ ଟପ୍ପୋ, ଶିବ ମୁଣ୍ଡାରୀ, ବେଣୁଧର ନାୟକ, ପ୍ରଦୀପ ପଣ୍ଡା, ରବିନ ଏକ୍କା, ସୁଜିତ କୁମାର ମିଞ୍ଜ, ରାଜକିଶୋର କୁଲୁ, ମହେନ୍ଦ୍ର ଧାରୁଆ, ଗୋପାଳ ମିଞ୍ଜ, ଲକ୍ଷ୍ମଣ କିଶାନ, ଅଶୋକ କୁମାର ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସେମାନଙ୍କ ପରିବାରକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଭାପତି ଶ୍ରୀ ତନ୍ତୀ ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ଚନ୍ଦ୍ରଶେଖର ଶତପଥୀ ମଂଚ ସଂଯୋଜନା କରିଥିଲେ । ଏହି ଅବସରରେ ଇସ୍ପାତ କଳା ପରିଷଦ, ସିଲଙ୍ଗ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଉଦାହରଣ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିବା ବେଳେ ହୀରାଲାଲ ମହାପାତ୍ର, ପ୍ରଫେସର ହୃଷିକେଶ ନାୟକ, ମଥୁରା ତନ୍ତୀ, ସୁପ୍ରଭା ନାୟକ, ସଂକୀର୍ତ୍ତନ ଜୟପୁରିଆ, ଦୁର୍ଗା ତନ୍ତୀ, ରୋହିତ ତନ୍ତୀ, ଶଙ୍କର ଜେନା, ସୁନିଲ୍ କୟାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × four =

error: Content is protected !!