
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ବାପୁଜୀ ମଲ୍ଲିକଙ୍କ ଅକାଳ ମୃତ୍ୟୁ । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଥାନା ପରିସରରେ ଥିବା ନିଜ ସରକାରୀ ଆବାସରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୂଚନା ଅନୁସାରେ, ବାପୁଜୀଙ୍କୁ ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ଏଥିରେ ସନ୍ଦେହ ହେବାରୁ ଥାନାର ଅନ୍ୟ କର୍ମଚାରୀମାନେ ତାଙ୍କ ଆବାସକୁ ଯାଇ ଦେଖିବା ବେଳେ ସେ ତଳେ ପଡ଼ିଥିବା ଅବସ୍ଥାରେ ମିଳିଥିଲେ । ତୁରନ୍ତ ତାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବାପୁଜୀ ମଲ୍ଲିକଙ୍କ ଘର ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ସିଦ୍ଧପଦର ଗାଁରେ । ପୂର୍ବରୁ ସେ ହୃଦରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି । ତାଙ୍କ ଅଚାନକ ମୃତ୍ୟୁ ଖବରରେ ପୁଲିସ ବିଭାଗ ସମେତ ସହକର୍ମୀ ଓ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି ।