pakka

୯ରୁ ବଲାଙ୍ଗିରରେ କ୍ରାନ୍ତି ଓ ଜାଗୃତି ସମାରୋହ

bbehera
  • ଆଠଗାଁରୁ ବଲାଙ୍ଗିରକୁ ହେବ ବାଇକ୍‌ ରାଲି
  • ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବଲାଙ୍ଗିର ଜିଲ୍ଲାର ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ଆସନ୍ତା ଅଗଷ୍ଟ ୯ରୁ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ୫୦ ଦିନ ବ୍ୟାପୀ ବଲାଙ୍ଗିରରେ କ୍ରାନ୍ତି ଓ ଜାଗୃତି ସମାରୋହ ପାଳନ କରାଯିବ । ଏନେଇ ଚୂଡାନ୍ତ ପ୍ରସ୍ତୁତି ସରିଛି । ରବିବାର ସ୍ଥାନୀୟ ସାମ୍ବାଦିକ ଭବନଠାରେ କ୍ରାନ୍ତି ଓ ଜାଗୃତି ସମାରୋହ କମିଟି ସଭାପତି ଐତିହାସିକ ପ୍ରଫେସର ଡ. ଶିବପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପ୍ରଫେସର ଡ. ନନ୍ଦ କହିଥିଲେ ଯେ, ବଲାଙ୍ଗିର ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ ଏବଂ ସମ୍ମାନ ପ୍ରଦର୍ଶନ ସକାଶେ ଏହି ସମାରୋହର ପରିକଳ୍ପନା କରାଯାଇଛି । ବିଟ୍ରିଶରାଜ୍‌ ବିରୁଦ୍ଧରେ ଐତିହାସିକ କନ୍ଧମେଳିରେ କଳାହାଣ୍ଡି ଓ ପୂର୍ବତନ ପାଟଣା (ଅଧୁନାତନ ବଲାଙ୍ଗିର ଜିଲ୍ଲା)ର କନ୍ଧମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଘୁମସର କନ୍ଧ ବିଦ୍ରୋହର ଅଗ୍ରଣୀ ସେନାନୀ ଚକରା ବିଶୋଇଙ୍କ ସହ ବଲାଙ୍ଗିର ଜିଲ୍ଲା ଆଠଗାଁ ଜମିଦାର ଧରମ ସିଂ ମାଝି ମାନ୍ଧତାଙ୍କ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଉପନିବେଶବାଦ୍‌ ଓ ସାମ୍ରାଜ୍ୟବାଦ୍‌, ଶୋଷଣ, କଷଣ ବିରୁଦ୍ଧରେ ବଲାଙ୍ଗିର-ପାଟଣାରେ ଅନେକ ସ୍ୱାଧୀନତା ସଂଗ୍ରାମୀ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସକ୍ରିୟ ଯୋଗଦାନ କରିଥିଲେ । ଏଣୁ ଆଠଗାଁ ଜମିଦାରଙ୍କ ଜନ୍ମପୀଠରୁ କ୍ରାନ୍ତି-ଜାଗୃତି ସମାରୋହ ଆରମ୍ଭ ହେବ । ଆସନ୍ତା ୯ ତାରିଖ ସକାଳ ୯ଟାରୁ ଆଠଗାଁରୁ ଏକ ବାଇକ୍‌ ରାଲି ବଲାଙ୍ଗିର ଅଭିମୁଖେ ବାହାରି ବଲାଙ୍ଗିର ସହର ପରିକ୍ରମା କରିବ । ଏହି ୫୦ ଦିନ ବ୍ୟାପୀ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ବୃକ୍ଷ ରୋପଣ, ସ୍କୁଲ, କଲେଜରେ ବକ୍ତୃତା, କୁଇଜ୍‌ ପ୍ରତିଯୋଗିତା ସହ ତିନୋଟି ସେମିନାର ଏବଂ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯିବ । ୧୯୩୮ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ ଏକ ବିଶାଳ କୃଷକ ସମାବେଶ ଚୁଡାପାଲିରୁ ବଲାଙ୍ଗିର ସହରକୁ ଆସିଥିଲା । ଏହି ଐତିହାସକ ଘଟଣାର ସ୍ମୃତିଚାରଣ ପୂର୍ବକ ୨୯ ସେପ୍ଟେମ୍ବର ଉଦ୍‌ଯାପନୀ ଦିବସରେ ଚୁଡାପାଲିରୁ ବଲାଙ୍ଗିର ସହରକୁ ଏକ ବାଇକ୍‌ ରାଲି ଆସି ପରିକ୍ରମା କରିବ । ଉଦ୍‌ଯାପନୀ ଦିବସରେ ବଲାଙ୍ଗିରର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସମ୍ପର୍କରେ ପ୍ରସ୍ତୁତ ଏକ ପୁସ୍ତକକୁ ଉନ୍ମୋଚନ କରାଯିବ ବୋଲି ଡ. ନନ୍ଦ ସୂଚନା ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିରର ସମସ୍ତ ଜନସାଧାରଣ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଶୋଭାଯାତ୍ରା କମିଟିର ଗୋପାଲଜୀ ପାଣିଗ୍ରାହୀ, ସୋମନାଥ ମିଶ୍ର, ଦିନେଶ ଶର୍ମା, ଅଙ୍କୁଶ ପାଣ୍ଡିଆ, ଶୁଭ୍ରାଂଶୁ ଶେଖର ପଣ୍ଡା, ବ୍ୟାସଦେବ ନନ୍ଦ, ସେମିନାର କମିଟିର ଚିତ୍ତରଞ୍ଜନ ଦାଶ, ଅଖିଳ ଚନ୍ଦ୍ର ହୋତା, ବୀରେନ୍ଦ୍ର ବନ୍‌ଛୋର, ସୁରୁଲାଲ ମଟାରୀ, ପ୍ରକାଶ ଦାଶ, ପୁସ୍ତକ ପ୍ରକାଶନ କମିଟିର ଡ ଶିବପ୍ରସାଦ ନନ୍ଦ, ବୀରେନ୍ଦ୍ର କୁମାର ଝାଙ୍କର, ନାଗରିକ କମିଟି ସମ୍ପାଦକ ମନୋରଞ୍ଜନ ସାହୁ ଉପସ୍ଥିତ ଥିଲେ । ଶେଷରେ ଦିନେଶ ଶର୍ମା ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

3 × 4 =

error: Content is protected !!