ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ଆଗେଇ ଚାଲିଛି ଭୋଟ ଦାନ ପ୍ରକ୍ରିୟା

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ଦୁଇ ନିର୍ବାଚନ ମଣ୍ଡଳୀରେ ଆଗେଇ ଚାଲିଛି ଭୋଟ ଦାନ ପ୍ରକ୍ରିୟା । ସକାଳ ପ୍ରାୟ ୭ଟାରୁ ବୁଥ୍‌ ଗୁଡ଼ିକ ସମ୍ମୁଖରେ ଭୋଟର ମାନଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ବୌଦ୍ଧ ଜିଲ୍ଲାର ୪୧୩ ଗୋଟି ବୁଥ୍ ମଧ୍ୟରୁ ୬୮ଟି ମାଓ ପ୍ରବଣ ଅଟେ । ତେବେ ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇ ନିର୍ବାଚନ ମଣ୍ଡଳୀରେ ୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୩ ଲକ୍ଷ ୩୫ ହଜାର ମତଦାତା । ମତଦାନ ପାଇଁ ଭୋଟର୍‌ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ସମସ୍ତେ ଗଣତନ୍ତ୍ରର ଏହି ମହାନ୍ ପର୍ବରେ ନିଜକୁ ସାମିଲ୍ କରି ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ବ୍ୟଗ୍ର ଥିବା ମନେ ହେଉଥିଲା । ଦୂର ଦୁରାନ୍ତରେ ରହି ପେଟପାଟଣା କରୁଥିବା ଅନେକ ବ୍ୟକ୍ତି ମଧ୍ୟ ସେମାନଙ୍କ ମତଦାନ ପାଇଁ ନିଜ ଭିଟାମାଟିକୁ ଫେରି ଆସିଛନ୍ତି । ତେବେ କଛି ସ୍ଥାନରେ ଭୋଟ ଦାନ ପ୍ରକ୍ରିୟା ଟିକେ ମନ୍ଥର ବେଗରେ ଚାଲିଥିବାରୁ ଭୋଟର୍ ମାନେ ପ୍ରବଳ ଗରମ ସତ୍ତ୍ୱେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଖୁସିର ବିଷୟ ବହୁ ଅତ୍ୟନ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ମଧ୍ୟ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଆସିଥିଲେ । ସେମାନଙ୍କୁ ତୁରନ୍ତ ଭୋଟ୍‌ ଦେବାର ବ୍ୟବସ୍ଥା କରାଯାଇଥିଲା । ମତଦାତାଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଦିନ ୩ଟା ସୁଦ୍ଧା ସମଗ୍ର ଜିଲ୍ଲାରେ ପ୍ରାୟ ୫୪.୨୮ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ସୂଚନା ଅଧିକାର ଓ ଲୋକସମ୍ପର୍କ ଅଧିକାରୀଙ୍କ ଠାରୁ ଜାଣିବାକୁ ମିଳିଛି ଏବଂ ରିପୋର୍ଟ୍ ପ୍ରସ୍ତୁତ ହେଲା ପର୍ଯ୍ୟନ୍ତ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡି ନାହିଁ ।

Leave A Reply

Your email address will not be published.