
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରରେ ଦେଶପ୍ରେମର ଭାବନା ଓ ଜାତୀୟ ପତାକା ପ୍ରତି ସମ୍ମାନକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ତ୍ରିରଙ୍ଗା ଯାତ୍ରା । କେସିଙ୍ଗା ତ୍ରିରଙ୍ଗା କମିଟିର ସଭାପତି ପ୍ରୀତେଶ ପଟେଲଙ୍କ ନେତୃତ୍ୱରେ ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ଏହି ବିଶାଳ ପଦଯାତ୍ରା । ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ଦେଇ ଶତାଧିକ ଲୋକ କେସିଙ୍ଗା ଆଦର୍ଶ ଥାନା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ଏହି ତ୍ରିରଙ୍ଗା ଯାତ୍ରାରେ ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସହ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି, ବିଭିନ୍ନ ସରକାରୀ କାର୍ଯ୍ୟାଳୟର କର୍ମଚାରୀ, ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ତ୍ରିରଙ୍ଗାର ଗୌରବ ଓ ଦେଶର ଏକତାର ବାର୍ତ୍ତା ନେଇ ଆୟୋଜିତ ଏହି ଯାତ୍ରାରେ ସମଗ୍ର କେସିଙ୍ଗା ସହରରେ ଦେଶପ୍ରେମର ମାହୋଲ ସୃଷ୍ଟି ହୋଇଥିଲା ।