ନାଗରିକ କମିଟି ବଲାଙ୍ଗିରର ଦ୍ୱିତୀୟ ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ଟାଉନ୍‌ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ବଲାଙ୍ଗିର ନାଗରିକ କମିଟିର ଦ୍ୱିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ଗତ ୩ଟି କାର୍ଯ୍ୟକାରୀ କମିଟିର ବିବରଣୀ ପାଠ କରିଥିଲେ ଓ ଗୃହରେ ତାହା ସ୍ୱିକୃତି ଲାଭ କରିଥିଲା । ସଭାପତି ଡ. ମିଶ୍ର ଏହା ଭିତରେ ବଲାଙ୍ଗିରର ଉନ୍ନତି କଳ୍ପେ ନାଗରିକ କମିଟି ସଂପାଦନ କରିଥିବା ବିଭିନ୍ନ କାର୍ଯ୍ୟକଳାପକୁ ବ୍ୟାଖ୍ୟା କରିଥିଲେ । ନାଗରିକ କମିଟିର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୧୦ଟି ଦଳରେ କମିଟିକୁ ବିଭକ୍ତ କରାଯାଇ ଯୋଗାଯୋଗ ଓ ଯୋଗସୁତ୍ର ରକ୍ଷା ନିମନ୍ତେ ପ୍ରତି ୨୫ ଜଣିଆ ଦଳ ପାଇଁ ଜଣେ ଲେଖାଏଁ ଦଳପତିଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ପୁନଶ୍ଚ କ୍ଷିପ୍ରତାର ସହିତ କାର୍ଯ୍ୟ ସଂପାଦନ ସକାଶେ କେତୋଟି ବିଭାଗ ମଧ୍ୟ ସୃଷ୍ଟି କରାଯାଇଛି ଯଦ୍ୱାରା କାର୍ଯ୍ୟକରଣର ବିଭକ୍ତିକରଣ (ଡିଭିଜନ୍‌ ଅଫ୍‌ ୱାର୍କ) ମାଧ୍ୟମରେ ସହଜରେ କାର୍ଯ୍ୟ ହାସଲ କରାଯାଇପାରିବ । ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରିତ ଏକ ସମନ୍ୱିତ ଯୋଜନା ଫର୍ଦ୍ଦ (ଲିଫ୍‌ଲେଟ) ମଧ୍ୟ ପ୍ରକାଶ କରାଯାଇଛି । ଏ ସମସ୍ତ କାର୍ଯ୍ୟକୁ ଗୃହରେ ସଦସ୍ୟମାନେ ସାଦରେ ଅନୁମୋଦନ କରିଥିଲେ । ପରେ ପରେ ସଦସ୍ୟ ଗୋପଭୂଷଣ ନାଥ, ରାହାସ ବିହାରି ମାଝି, ଜୟରାମ ମିଶ୍ର, ଶ୍ରୀମନ୍ତ କୁମାର ପଣ୍ଡା, କିଶୋର କୁମାର ମିଶ୍ର, ସୁଧାଂଶୁ ବାବୁ, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଅଶୋକ କୁମାର ମିଶ୍ର, ଧର୍ମବ୍ରତ ରଥ, ସୁରେନ୍ଦ୍ର କୁମାର ତ୍ରିପାଠି, ଦିବାକର ହୋତା, ପ୍ରମୋଦ କୁମାର ପ୍ରଧାନ, ଋତୁରାଜ ସିଂ, ଗୌର ଚନ୍ଦ୍ର ପୁରୋହିତ, ବ୍ରଜ କିଶୋର ପଣ୍ଡା, ନିତ୍ୟାନନ୍ଦ ମିଶ୍ର ଓ ସଂକିର୍ତ୍ତନ ତ୍ରିପାଠି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପ୍ରସ୍ତାବମାନ ଆଗତ କରିଥିଲେ । ପ୍ରସ୍ତାବମାନଙ୍କ ଉପରେ ଆଲୋଚନା ହୋଇ ବଲାଙ୍ଗିରର ଉନ୍ନତି କଳ୍ପେ ଅନେକ ମୁଲ୍ୟବାନ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ମଧୁସୁଦନ ନାୟକ, ସଦସ୍ୟ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ବ୍ରଜ କିଶୋର ପଣ୍ଡା, ସଂକିର୍ତ୍ତନ ତ୍ରିପାଠି, ଜୟରାମ ମିଶ୍ର, ଛବିଲାଲ ବେହେରା, ଋତୁରାଜ ସିଂଙ୍କୁ ନେଇ ଏକ ଅସ୍ଥାୟୀ କମିଟି ଗଠନ କରାଯାଇଛି । ଏହି କମିଟି ବଲାଙ୍ଗିରର ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିବା ପୂର୍ବକ ତାର ସମାଧାନ ନିମନ୍ତେ ସଂମ୍ପର୍କିତ ବିଭାଗମାନଙ୍କୁ ଯାଇ ଆଲୋଚନା କରିବେ । ଶେଷରେ ଯୁଗ୍ମ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − four =