foot

ଜାତୀୟ ସଡକ ସୁରକ୍ଷା ମାସ-୨୦୨୫

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ସୁରକ୍ଷା ମାସ ଅବସରରେ ରାଉରକେଲାର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ସମ୍ପର୍କ ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ହନୁମାନ ବାଟିକା ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ବିଭବାଞ୍ଜନ ସାମନ୍ତ ସିଂ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ପତାକା ଦେଖାଇ ସଚେତନତା ବାଇକ ରାଲିର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନାଟ୍ୟାନୁଷ୍ଠାନ ସମ୍ପର୍କ ରାଉରକେଲା ତରଫରୁ ଏକ ପଥପ୍ରାନ୍ତ ନାଟକ “ସାବଧାନ ମାନବ” ସମ୍ପର୍କରେ ଏକ ସଚେତନତା ମୂଳକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା । ଏଥିରେ ମୁଖ୍ୟତଃ ହେଲମେଟ ପିନ୍ଧିବା, ଚାରି ଚକିଆ ଯାନରେ ସିଟ୍ ବେଲ୍ଟ ବାନ୍ଧିବା, ଟ୍ରାଫିକ ନିୟମ ମାନିବା, ଗାଡ଼ି ଚଲାଇଲା ବେଳେ ମଦ୍ୟପାନ ଓ ମୋବାଇଲ ବ୍ୟବହାର ନକରିବା, ଓଭରଟେକ ନକରିବା ଆଦି ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସଂଗଠନର ସ୍ୱେଚ୍ଛାସେବୀ ମାନେ ରାସ୍ତାରେ ଯାଉଥିବା ପଥଚାରୀ ମାନଙ୍କୁ ସଚେତନ କରିବା ସହ ଯେଉଁମାନେ ହେଲମେଟ ବ୍ୟବହାର କରିନଥିଲେ, ସେମାନଙ୍କୁ ଗୋଲାପ ଫୁଲ ପ୍ରଦାନ କରି ହେଲମେଟ ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ଏସ୍‌ପି ଶ୍ରୀ ୱାଧୱାନୀ ସୂଚନା ଦେଇ କହିଲେ ଯେ ଗତ ୨୦୨୪ରେ ସହରରେ ୪୪୦ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୨୨୦ ଜଣଙ୍କର ମୃତ୍ୟୁ ଘଟିଛି । ତେଣୁ ସମସ୍ତେ ଏଥିପ୍ରତି ସଚେତନ ରହିବା ସହ ସଡକ ସୁରକ୍ଷା ଜୀବନ ରକ୍ଷା ବାର୍ତ୍ତାକୁ ଅଧିକ ପ୍ରସାରିତ କରିବା ପାଇଁ ଅନୁରୋଧ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମ ଛେଣ୍ଡ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟ, ଆମ୍ବାଗାନ ଛକ ଓ ରାଉରକେଲା ବସଷ୍ଟାଣ୍ଡ ଠାରେ ଆୟୋଜିତ କରାଯାଇଥିଲା । ସମ୍ପର୍କର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ ଓ ନିର୍ଦ୍ଦେଶନାରେ ପଥପ୍ରାନ୍ତ ନାଟକରେ ସର୍ବଶ୍ରୀ ବିଜୟ ପାତ୍ର ସହଯୋଗ କରିଥିବା ବେଳେ ସୁରେନ୍ଦ୍ର, ବିବେକାନନ୍ଦ, ପ୍ରଳୟ, ସୁଦେଷ୍ଣା, ଶ୍ରେୟାଶ୍ରୀ, ସୁଗୁନ, ପୁଷ୍ପା, ସସ୍ମିତା ପ୍ରମୁଖ ଅଭିନୟ କରିଥିଲେ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ମନୋରଞ୍ଜନ ଦାସ, ପି ସୌରଭ, ମନୋରଞ୍ଜନ ପୃଷ୍ଟି, ପୁଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.