ପଦ୍ମପୁର ରାଜ ଉଆସରେ ଦୁର୍ଗା ପୂଜା ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ କେତେଟା ପରେ ଧରା ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମା’ ଦୁର୍ଗା । ଏ ନେଇ ଚଳ ଚଂଚଳ ଗାଁ ଠାରୁ ସହର । କୋଭିଡ କଟକଣା ଯୋଗୁଁ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟୀ ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁରରେ ରାଜ ରାଜୁଡା ଅମଳରୁ ପଦ୍ମପୁର ରାଜବାଟିରେ ହୋଇ ଆସୁଛି ଜଗତ ଜନନୀ ମା’ ଦୁର୍ଗାଙ୍କର ପୂଜା । ପ୍ରତି ବର୍ଷ ସମଗ୍ର ଅଂଚଳରୁ ଲୋକେ ଏହି ମଣ୍ଡପକୁ ଲକ୍ଷାଧିକ ସଂଖ୍ୟାରେ ଯୋଗ ଦେଇଥାନ୍ତି ପୂଜା କରିବା ସହ ମା’ଙ୍କ ଆଶିର୍ବାଦ ଲାଭ ପାଇଁ । ଗଣତନ୍ତ୍ର ଭିତରେ ବି ପଦ୍ମପୁର ଦୁର୍ଗାପୂଜାରେ ଦେଖିବାକୁ ମିଳେ ରାଜତନ୍ତ୍ରର ଝଲକ ।

ପ୍ରତିବର୍ଷ ପଦ୍ମପୁର ରାଜବାଟିରେ ଦୁର୍ଗା ପୂଜା ସମୟରେ ବାହାରି ଥାଏ ଖଣ୍ଡା ଧୁଆ ପାଇଁ ରାଜାଙ୍କ ଅମଳର ହାତ ହତିଆର ଏବଂ ଏହି ପରମ୍ପରା ସହ ଆରମ୍ଭ ହୋଇଥାଏ ଦୁର୍ଗା ପୂଜା । କେବଳ ସେତିକି ନୁହେଁ, ପଦ୍ମପୁରର ଏକତାର ପ୍ରତୀକ ଏହି ସାର୍ବଜନୀନ ଦୁର୍ଗା ପୂଜା ।

ପଦ୍ମପୁରରେ ଏହି ଗୋଟିଏ ମଣ୍ଡପରେ ହିଁ ଦଶହରାରେ ପୂଜା ପାଇଥାନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା । ପୂଜାକୁ ଆଉ ଦିନ କେଇଟା ବାକି ଥିବାବେଳେ କାରିଗର ଲାଗି ପଡିଛନ୍ତି ମା’ ଙ୍କର ଆକର୍ଷଣୀୟ ମୁର୍ତି ନିର୍ମାଣ କାର୍ୟ୍ୟରେ । ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରତି ବର୍ଷ ପରି ଭବ୍ୟ ନ ହେଲେ ବି ମା’ଙ୍କ ପ୍ରତିମାକୁ ସଜାଇବା ପାଇଁ କାମ କରୁଛନ୍ତି କାରିଗର । ଅନ୍ୟପଟେ ପୂଜା କମିଟି ତରଫରୁ ମଧ୍ୟ ଦଶହରା ପୂଜାରେ ଯେମିତି ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ କରୋନା କଟକଣା ଅନୁଯାୟୀ ଭକ୍ତଙ୍କୁ ପୂଜା ମଣ୍ଡପକୁ ଅନୁମତି ଦିଆନଯିବା ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଅଛି । ଏ ବର୍ଷ କେବଳ ବିଧି ରକ୍ଷା ପାଇଁ ପାରମ୍ପାରିକ ରୀତିନୀତି ପାଳନ ସହ ପୂଜା ହେବାକୁ ଥିବା ବେଳେ ପ୍ରଶାସନ ତରଫରୁ ମଧ୍ୟ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଉଅଛି ।

Leave A Reply

Your email address will not be published.