ଯୁଧିଷ୍ଟିର ମିଶ୍ର ସ୍ମାରକୀ ମିଷ୍ଟର ଓଡିଶା ୨୦୨୨ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା : ସ୍ଥାନୀୟ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପାଇବେ ଭାଗ ନେବାର ସୁଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାମ୍ବାଦିକ ଭବନଠାରେ ଜିଲ୍ଲା ଏମେଚର ବଡି ବିଲ୍ଡର୍ସ ଏସୋସିଏସନ୍‌ ତରଫରୁ ଆସନ୍ତା ଅପ୍ରେଲ ଦୁଇ ଓ ତିନି ତାରିଖରେ ହେବାକୁ ଥିବା ଯୁଧିଷ୍ଟିର ମିଶ୍ର ସ୍ମାରକୀ ୧୯ତମ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋଶଳ କଳାମଣ୍ଡଳ ପଡିଆରେ ଦୁଇ ଦିନ ବ୍ୟାପୀ ହେବାକୁ ଥିବା ଏହି ମିଷ୍ଟର ଓଡିଶା ୨୦୨୨ ପ୍ରତିଯୋଗିତା ପୂର୍ବରୁ ଗତକାଲିି ଜିଲ୍ଲା ସଂଘର ଅଧ୍ୟକ୍ଷ ତଥା ବରିଷ୍ଠ ଓକିଲ ଅମରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରତିଯୋଗିତା ସଂପର୍କରେ ସମସ୍ତ ସୂଚନା ତଥା ପ୍ରସ୍ତୁତି ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂପାଦକ ସଞ୍ଜୟ ଶତପଥିଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ପ୍ରତିଯୋଗିତାର ସଫଳ ରୂପାୟନ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିବା ସହ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ଦଶଟି ବର୍ଗରେ ପ୍ରାୟ ୩୦୦ ପ୍ରତିଯୋଗୀ ଭାଗ ନେବେ । ତା’ଛଡା ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ୱତନ୍ତ୍ର ଭାବେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ପ୍ରତିଯୋଗିତାର ପ୍ରଥମ ଦିନ ସମସ୍ତ ଓଜନ ବର୍ଗରୁ ଦଶ ଜଣ ଲେଖାଏଁ ଶ୍ରେଷ୍ଠ ପ୍ରତିଯୋଗୀ ବଛା ଯିବା ପରେ ଦ୍ୱିତୀୟ ଦିନ ପ୍ରତ୍ୟେକ ବର୍ଗର ବିଜେତା ତଥା ଉପବିଜେତା ଚୟନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ବଲାଙ୍ଗିର ଜିଲ୍ଲାରୁ ୩୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଥିବା ବେଳେ ସାରା ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ପ୍ରାୟ ୩୦୦ ପ୍ରତିଯୋଗୀ ଭାଗ ନେବେ । ସଂଘ ତରଫରୁ ସମସ୍ତ ପ୍ରତିଯୋଗୀଙ୍କ ପାଇଁ ରହଣୀ ଓ ଖାଦ୍ୟ ପେୟ ବ୍ୟବସ୍ଥା କରାଯିବ । ଭାରତୀୟ ବଡି ବିଲ୍ଡିଂ ମହାସଂଘ ସମେତ ରାଜ୍ୟ ବଡି ବିଲ୍ଡିଂ ସଂଘ ଦ୍ୱାରା ଏହା ଏକ ସ୍ୱୀକୃତି ପ୍ରାପ୍ତ ପ୍ରତିଯୋଗିତା, ତେଣୁ ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିମାନେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗୀତାରେ ଭାଗ ନେବାର ସୁଯୋଗ ପାଇବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଉପସଭାପତି ଚଗଲା ପରିଚ୍ଛା, ସନ୍ତକ ବହିଦାର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସମ୍ମିଳନୀକୁ ସଫଳ କରିବା ପାଇଁ ବରିଷ୍ଠ ସଦସ୍ୟ ତଥା ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର ଓ ଜିତେନ୍ଦ୍ର ନାଗ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ସଂଘର ସଭ୍ୟ ରୂପକ ବରାଳ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.

fifteen + two =