ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ : ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ୍‌ ଠାରେ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଆସିଷ୍ଟାଣ୍ଟ କଲେକ୍ଟର (ଜରୁରୀକାଳିନ ବିଭାଗ) ସସ୍ମିତା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫର ଅଧିକାରୀମାନେ ଉପସ୍ଥିତ ଥିଲେ । ବ୍ଲକ ମୁଖ୍ୟାଳୟ ଓସ୍ୱାନ ହଲ୍‌ ଠାରେ ସମ୍ପୃକ୍ତ ଉପଜିଲ୍ଲାପାଳ, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ପୌର ପରିଷଦ ଓ ଏନ୍‌ଏସିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଡିଓ, ତହସିଲଦାର ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଅଭାଷୀ ମାଧ୍ୟମରେ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଶ୍ରେଷ୍ଠ ଥିବା ଜଣେଇଥିଲେ । ତେଣୁ ଏହା କିପରି ବଳବତ୍ତର ରହିବ ସେଥିପାଇଁ ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ ମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଓ ବାତ୍ୟାର ମୁକାବିଲା ନିମନ୍ତେ ଜିଲ୍ଲାରେ ପ୍ରାକ ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବୈଠକରେ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ଜିଲ୍ଲା କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ବ୍ଲକ, ତହସିଲ ଓ ଜରୁରୀ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟ ଗୁଡିକରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ । ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଳି ଅଞ୍ଚଳ ଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାଣି ଜମିରହୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା, ବର୍ଷା ପୂର୍ବରୁ ସମସ୍ତ ନାଳ ଗୁଡିକୁ ସଫା କରିବ, ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ଲକ୍ଷ୍ମୀଜୋରର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜଳ ଯୋଗାଣକୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ସମୟ ବ୍ୟବଧାନରେ ସମସ୍ତ ନଳକୂପ, ପାଇପ ଜଳ ଯୋଗାଣ, କୂପ ଇତ୍ୟାଦିକୁ ବିଶୁଦ୍ଧକରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣର ଔଷଧ, ହାଲୋଜେନ୍‌ ବଟିକା, ବ୍ଲିଚିଂ ପାଉଡର ଇତ୍ୟାଦି ମହଜୁଦ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସାପ କାମୁଡା ଇଂଜେକସନ୍‌ ଉପଲବ୍ଧ ଥିବା ସିଡିଏମ୍‌ଓ ଗୃହକୁ ଜଣେଇଥିଲେ । ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଆଗୁଆ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ଔଷଧ ରଖିବା ଓ ଟୀକାକରଣ କରିବାକୁ ସିଡିଭିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟା ପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚୂଡା, ଚାଉଳ, କିରୋସିନୀ, ଦିଆସିଲି, ମହମବତୀ ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ମହଜୁଦ କରି ରଖିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା, ପୌର ପରିଷଦ ଏବଂ ଏନ୍‌ଏସି ଅନ୍ତର୍ଗତ ସମସ୍ତ ୱାର୍ଡ, ବସ୍ତିରେ ଥିବା ନାଳ ଗୁଡିକୁ ଯଥାଶୀଘ୍ର ସଫେଇ କରିବାକୁ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟାର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.