
- ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞ୍ଜୁର
ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟରେ ୪ଟି ନୂତନ କୃଷି ଭିତ୍ତିକ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଗତ ବିଧାନସଭା ବଜେଟ ଅଧିବେଶନରେ ଘୋଷଣା କରିଥିଲେ । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଅଧିନରେ ବଲାଙ୍ଗିରରେ କୃଷି ବିଜ୍ଞାନ କଲେଜ, ସୁବର୍ଣ୍ଣପୁରରେ ମତ୍ସ୍ୟ ବିଜ୍ଞାନ, ଚିପିଲିମାରେ ପ୍ରାଣୀ ବିଜ୍ଞାନ ଓ ମୟୂରଭଞ୍ଜରେ ଏକ କୃଷି ବିଜ୍ଞାନ କଲେଜ ପ୍ରତିଷ୍ଠା କରିବା ପ୍ରସ୍ତାବ ରାଜ୍ୟ ବଜେଟରେ ସ୍ଥାନ ପାଇଥିଲା । ଏହା ମଧ୍ୟରୁ ବଲାଙ୍ଗିରରେ ସ୍ଥାପନ ହେବାକୁ ଥିବା କୃଷି ବିଜ୍ଞାନ କଲେଜର ସବିଶେଷ ତଥ୍ୟ ଜାଣିବା ପାଇଁ ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବଜେଟ ଓ ଫାଇନାନ୍ସ ସେକ୍ସନ ପକ୍ଷରୁ ଜନ ସୂଚନା ଅଧିକାରୀ ତଥା ଉପ ସଚିବ ଦେବାଶିଷ ସାହୁ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କୁ ଜଣାଇଛନ୍ତି ଯେ, ଓୟୁଏଟି, ଭୁବନେଶ୍ୱର ଅଧିନରେ ନୂତନ ଭାବେ ଘୋଷିତ ୪ଟି କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ସମୁଦାୟ ୫୦ କୋଟି ଟଙ୍କାରୁ ପ୍ରସ୍ତାବିତ ବଲାଙ୍ଗିର କୃଷି ବିଜ୍ଞାନ ମହାବିଦ୍ୟାଳୟ ପାଇଁ ୧୦ କୋଟି ଟଙ୍କା ଇୟରମାର୍କ ତଥା ନିର୍ଦ୍ଧାରିତ କରାଯାଇଛି ବୋଲି ତଥ୍ୟରେ କୁହାଯାଇଛି । ଓୟୁଏଟି ଭୁବନେଶ୍ୱର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡିପିଆରରେ ପ୍ରସ୍ତାବିତ କଲେଜ ୧୨୦ ଆସନ ସଂଖ୍ୟା ବିଶିଷ୍ଟ ହେବା ସଙ୍ଗେ ସଙ୍ଗେ ଅଧ୍ୟାପକ ଅଧ୍ୟାପିକା ସଂଖ୍ୟା ୨୩ ରହିବ ବୋଲି ଉଲ୍ଲେଖ କରାଯାଇଛି । ନନ୍ ଟିଚିଂ ଷ୍ଟାଫ ସଂଖ୍ୟା ୩୭ ରହିବ ଓ ଡିନଙ୍କ କାର୍ଯ୍ୟାଳୟ ସହ ୧୪ ଜଣ କର୍ମଚାରୀ ରହିବେ । ପ୍ରସ୍ତାବିତ ମହାବିଦ୍ୟାଳୟ ଲାଗି ସର୍ବମୋଟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯିବା ସହ ପ୍ରତ୍ୟେକ ବର୍ଷ ୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡିପିଆରରେ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, କଲେଜ ସ୍ଥାପନ ପାଇଁ ୧୫ ଏକର ଜାଗା ଆବଶ୍ୟକ । କିନ୍ତୁ କେବେ ସୁଦ୍ଧା ପ୍ରସ୍ତାବିତ କଲେଜରେ ଶୀକ୍ଷାଦାନ ଆରମ୍ଭ ହେବ ସେ ବିଷୟରେ କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି ।