pakka

ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପେନ୍‌ସନ୍‌ ଓ ସୁରକ୍ଷା ଆଇନ ପ୍ରଣୟନକୁ ନିର୍ବାଚନ ଇସ୍ତାହାରରେ ପ୍ରକାଶ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳଙ୍କଠାରେ ଦାବି

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ବ୍ୟତୀତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ୬୦ ବର୍ଷରୁ ଅଧିକ ସାମ୍ବାଦିକମାନଙ୍କୁ ପେନ୍‌ସନ୍‌ ସହିତ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରୁ ପ୍ରାୟ ୪ ଦଶନ୍ଧି ଧରି ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପେନ୍‌ସନ୍‌ ପ୍ରଦାନ ସମ୍ପର୍କରେ ବାରମ୍ବାର ଆଲୋଚନା ହେବା ସହିତ ବିଭିନ୍ନ କମିଟି ମଧ୍ୟ ଗଠନ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ସ୍ୱର୍ଗତ ବିଜୁ ବାବୁ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସଭା ସମିତି ଓ ବିଧାନସଭାରେ ସାମ୍ବାଦିକମାନଙ୍କୁ ପେନ୍‌ସନ୍‌ ପ୍ରଦାନ କରିବା ସମ୍ପର୍କରେ ବହୁବାର ଆଲୋଚନା ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ନିର୍ବାଚନ ପୂର୍ବରୁ ବର୍ତ୍ତମାନର ସରକାର ସବୁ ବର୍ଗର ବ୍ୟକ୍ତିମାନଙ୍କ ପାଇଁ ବିଭିନ୍ନ ସହାୟତା ସମ୍ପର୍କରେ ଘୋଷଣା କରିଥିଲେ ମଧ୍ୟ ସାମ୍ବାଦିକମାନଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି । ଚଳିତ ୨୦୨୪ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ଇସ୍ତାହାରରେ ସାମ୍ବାଦିକମାନଙ୍କୁ ସୁବିଧା ସୁଯୋଗ ଦେବା ସମ୍ପର୍କରେ ଘୋଷଣା କରନ୍ତୁ ବୋଲି କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ରବି ରଥ ଦାବି କରିଛନ୍ତି । ଏଠାରେ ଉଲ୍ଳେଖ କରାଯାଇପାରେ, ନିର୍ବାଚନ ଆଚରଣ ବିଧି ପୂର୍ବରୁ ବିଭିନ୍ନ ସାମ୍ବାଦିକ ସଂଗଠନ ସେମାନଙ୍କ ମୌଳିକ ସମସ୍ୟା ଯଥା ସାମ୍ବାଦିକ ସୁରକ୍ଷା ଆଇନ, ବରିଷ୍ଠ ସାମ୍ବାଦିକମାନଙ୍କୁ ପେନ୍‌ସନ୍‌, ଗୋପବନ୍ଧୁ ବୀମାକୁ ୧୦ ଲକ୍ଷକୁ ବୃଦ୍ଧି କରି ସେମାନଙ୍କ ପିତାମାତାଙ୍କୁ ସାମିଲ କରିବା, ଅନ୍ୟାନ୍ୟ ରାଜ୍ୟ ଭଳି ସରକାରୀ ଜମି ଯୋଗାଇଦେବା ଓ ପ୍ରେସ୍‌ ଏକାଡେ଼ମୀ ଗଠନ ଇତ୍ୟାଦି ଦାବି କରାଯାଇଥିଲା । କିନ୍ତୁ ବର୍ତ୍ତମାନର ସରକାର ଏ ସମ୍ପର୍କରେ କୌଣସି ଘୋଷଣା କରିନଥିଲେ ଏବଂ ପରବର୍ତ୍ତୀ ସମୟରେ ଆଚରଣ ବିଧି ଲାଗୁ ହୋଇଯାଇଥିଲା । ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନ ଇସ୍ତାହାରରେ ସାମ୍ବାଦିକଙ୍କ ଉପରୋକ୍ତ ସମସ୍ୟା ସମ୍ପର୍କରେ ଘୋଷଣା କରିବେ ବୋଲି ସଂଘ ପକ୍ଷରୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିମାନଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

two + 4 =