ଲୋକସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା : ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାର ୮ଟି ପ୍ରକଳ୍ପ ସାମିଲ

ଭୁବନେଶ୍ୱର, (ପିଆଇବି) : ଓଡ଼ିଶାରେ ବିଭିନ୍ନ ଜଳସେଚନ ପ୍ରକଳ୍ପର ସ୍ଥିତି ଏବଂ ଭାରତ ସରକାରଙ୍କ ବିଭିନ୍ନ ଜଳସେଚନ ଯୋଜନା ଅଧୀନରେ ରାଜ୍ୟକୁ ମିଳୁଥିବା ଲାଭ ସମ୍ପର୍କରେ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଶ୍ରୀ ଟୁଡୁ କହିଛନ୍ତି ଯେ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ପିଏମକେଏସୱାଇ) ଯୋଜନା ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାର ତ୍ୱରିତ ଜଳସେଚନ ଲାଭ କାର୍ଯ୍ୟକ୍ରମ (ଏଆଇବିପି) ଅଧୀନରେ ଦେଶର ୯୯ଟି ପ୍ରାଥମିକ ବୃହତ/ମଧ୍ୟମ ଜଳସେଚନ ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏଥିରେ ଓଡ଼ିଶାର ୮ଟି ପ୍ରକଳ୍ପ ସାମିଲ ରହିଛି । ଏହିସବୁ ପ୍ରକଳ୍ପ ମଧ୍ୟରୁ ତେଲେଙ୍ଗିରି, ରୁକୁରା, ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର ଏବଂ ରେତ ଜଳସେଚନ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇସାରିଛି । ବର୍ତ୍ତମାନ କାନୁପୁର, ସମନ୍ୱିତ ଆନନ୍ଦପୁର ବ୍ୟାରେଜ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ରେଙ୍ଗାଲି ଜଳସେଚନ ପ୍ରକଳ୍ପ (ଦକ୍ଷିଣ ପାର୍ଶ୍ୱ କେନାଲ ପ୍ରଣାଳୀ), ଦେଓ ଜଳସେଚନ ପ୍ରକଳ୍ପ ଏବଂ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଏଆଇବିପି ଯୋଜନା ଅଧୀନରେ ସାମିଲ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା । ତେବେ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ବର୍ତ୍ତମାନ ଏସବୁ ପ୍ରକଳ୍ପ ମଧ୍ୟରୁ କୌଣସି ଗୋଟିଏ ଏଆଇବିପି ଯୋଜନାରେ ସାମିଲ ହେବା ଲାଗି ପ୍ରସ୍ତୁତ ନାହାନ୍ତି । ଆହୁରି ଏହି ତିନୋଟି ପ୍ରକଳ୍ପ ମଧ୍ୟରୁ କୌଣସିଟି ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ନାହିଁ ।
ଅନ୍ୟପକ୍ଷରେ ପିଏମକେଏସୱାଇ – ହର କ୍ଷେତ କୋ ପାନି (ଏଚକେକେପି) ଯୋଜନାର ଭୂପୃଷ୍ଠ କ୍ଷୁଦ୍ର ଜଳସେଚନ (ଏସଏମଆଇ) ଉପାଦାନ ଅଧୀନରେ ୫୩ଟି ପ୍ରକଳ୍ପ ପାଇଁ ଆନୁମାନିକ ୨୩୬ କୋଟି ଟଙ୍କାର ପାଣ୍ଠି ଯୋଗାଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କେନ୍ଦ୍ର ଜଳ ଆୟୋଗ ଏହି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ଏହାର ଫଳାଫଳ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ଅବଗତ କରାଇ ଦିଆଯାଇଛି । ତେବେ ଏଥିମଧ୍ୟରୁ କୌଣସି ପ୍ରକଳ୍ପର ଲାଭ ବରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ମିଳିବ ନାହିଁ ।
ଅପରପକ୍ଷରେ, ପିଏମକେଏସୱାଇ-ଏଚକେକେପି ଯୋଜନାର ଜଳାଶୟ ମରାମତି, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ (ଆରଆରଆର) ଉପାଦାନ ଅଧୀନରେ ୫୪୭ଟି ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏଥିମଧ୍ୟରୁ ୩୧ଟି ପ୍ରକଳ୍ପ ବରଗଡ଼ ଜିଲ୍ଲା ଏବଂ ୧୧ଟି ପ୍ରକଳ୍ପ ଝାରସୁଗୁଡ଼ା ଜିଲ୍ଲାରେ ରହିଛି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଆହୁରି ସୂଚନା ଦେଇଥିଲେ ଯେ, ରାଜ୍ୟ ସରକାରମାନେ ନିଜସ୍ୱ ସମ୍ବଳ ଏବଂ ପ୍ରାଥମିକତା ଅନୁଯାୟୀ, ଜଳ ସମ୍ପଦ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରିଥାନ୍ତି, ପାଣ୍ଠି ଯୋଗାଣ କରିଥାନ୍ତି, କାର୍ଯ୍ୟକାରୀ ଏବଂ ରକ୍ଷଣାବେକ୍ଷଣ କରିଥାନ୍ତି । ଏ କ୍ଷେତ୍ରରେ ଭାରତ ସରକାରଙ୍କ ଭୂମିକା ସୀମିତ । ତେବେ କେନ୍ଦ୍ର ସରକାର କେତେକ କ୍ଷେତ୍ରରେ ବୈଷୟିକ ସହାୟତା ଏବଂ ଆଂଶିକ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଅଧୀନରେ ଏହି ସହାୟତା ପ୍ରଦାନ କରାଯାଇଥାଏ । ଆହୁରି ଆନ୍ତଃରାଜ୍ୟ ନଦୀ ପ୍ରଣାଳୀରେ ହେଉଥିବା ମଧ୍ୟମ/ବୃହତ ଜଳସେଚନ ପ୍ରକଳ୍ପ ପାଇଁ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଜଳ ଆୟୋଗ ମଧ୍ୟମ/ବୃହତ ଜଳସେଚନ ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ମଞ୍ଜୁରି ପ୍ରଦାନ କରିଥାନ୍ତି ।
ସୂଚନାଯୋଗ୍ୟ ଯେ ଓଡ଼ିଶାରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ପ୍ରସ୍ତାବ ଏବଂ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା, ବିଶେଷ କରି ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରବଣ ପଦ୍ମପୁର ଉପଖଣ୍ଡରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ବିଷୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କେତେକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଉପରୋକ୍ତ ତଥ୍ୟ ରଖିଥିଲେ ।

Leave A Reply

Your email address will not be published.

eighteen − 14 =