
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଖପ୍ରାଖୋଲରୁ କପସିପାଲି ମଧ୍ୟବର୍ତ୍ତୀ ରାସ୍ତାରେ ଏକ ବୋଲେରୋ ପିକଅପ ଗାଡ଼ି ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ପଡ଼ିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗାଡ଼ିର ଟ୍ରଲି ଭିତରେ ବହୁ ପରିମାଣର ମୂଲ୍ୟବାନ ଖଇର କାଠ ଲଦା ଥିବା ବେଳେ, ଚୋରା ଚାଲାଣ ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ହରିଶଙ୍କର ରେଞ୍ଜର ତଥା ଏସିଏଫ୍ ଅରବିନ୍ଦ ନାଏକ, ଖପ୍ରାଖୋଲ ବନପାଳ ସୁଧୀର ଜେନାଙ୍କ ସହ ବନବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରିଥିଲେ । ତେବେ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିବା ବେଳେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଜବତ ହୋଇଥିବା ଖଇର କାଠର ଓଜନ ଆନୁମାନିକ ୧୦ କ୍ୱିଣ୍ଟାଲ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି । ଏନେଇ ଘଟଣାର ଅଧିକ ତଦନ୍ତ ଚାଲିଥିବା ସହ ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଥିବା ଖପ୍ରାଖୋଲ ବନପାଳ ସୁଧୀର ଜେନା ସୂଚନା ଦେଇଛନ୍ତି ।