pakka

ପଦ୍ମପୁର ସଟ୍‌ ଡାଉନ ଷ୍ଟ୍ରାଟେଜି ବଦଳିବା ଜରୁରୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କର କୋଭିଡ ଗାଇଡ ଲାଇନ ଅନୁସାରେ, ପଦ୍ମପୁର ସହରକୁ ପ୍ରଶାସନ ତରଫରୁ ସଟ୍‌ଡାଉନ ଘୋଷଣା କରାଯାଇଥିଲା । ସକାଳ ୫ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲା ଯାଉଥିଲା । ଶନିବାର ଓ ରବିବାର କେତୋଟି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ବିକ୍ରି କରିବାକୁ ଛାଡି ଥିବା ବେଳେ ସମ୍ପୂର୍ଣ୍ଣ ଭାବେ ସପ୍ତାହାନ୍ତ ସଟ୍‌ ଡାଉନକୁ କଡାକଡି କରାଯାଇଥିଲା । ଅଥଚ ଗତ ୨୮ ତାରିଖରୁ ମେ ୪ ପର୍ଯ୍ୟନ୍ତ ବେସରକାରୀ କିଛି ଅନୁଷ୍ଠାନର କର୍ମକର୍ତ୍ତାଙ୍କ ନିଷ୍ପତ୍ତି କ୍ରମେ ବରଗଡ ଜିଲ୍ଲାପାଳ ଓ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଜାଣତରେ ସଟ୍‌ ଡାଉନର ସ୍ଥିତି ବଦଳି ଯାଇଛି । ସକାଳ ୬ ଘଣ୍ଟାରୁ ୯ ଘଣ୍ଟା, ମାତ୍ର ତିନି ଘଣ୍ଟା ପାଇଁ କେବଳ କିରାନା ଦୋକାନ, କ୍ଷୀର, ଫଳମୂଳ ଦୋକାନ, ଆମିଷ ଦୋକାନ ଓ ପନିପରିବାର ହାଟ ଖୋଲାଯାଉଛି ବା ଦେଖିବାକୁ ମିଳୁଛି । ଏଇଟା ସତ ଯେ, ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସବୁ ଠାରୁ ଆଶ୍ଚର୍ଯ୍ୟ ବିଷୟ ଭିତରେ ୨୮ ତାରିଖର ସଟଡାଉନ ଘୋଷଣା ପରେ ତୁଳନାତ୍ମକ ଭାବେ ସଂକ୍ରମିତଙ୍କ ସଂଖ୍ୟା ୨୮ରେ ପହଂଚିଛି । ଶୁଣିବାକୁ ମିଳୁଛି ଯେ, କିଛି ସଂକ୍ରମିତ ବ୍ୟକ୍ତି ଓ ତାଙ୍କର ପରିବାର ଲୋକେ କୋଭିଡ କଟକଣାକୁ ଉଲଂଘନ କରୁଛନ୍ତି । ଯଦି କଥାଟି ସତ୍ୟ, ତାହେଲେ ସାଂଘାତିକ ନୁହେଁ କି ।

ଏଇ ଦିଗ ପ୍ରତି ପ୍ରଶାସନର ତୀକ୍ଷ୍ମଣ ଦୃଷ୍ଟି ରହିବାର ଆବଶ୍ୟକତା ମନେ ହେଉଛି । ଅନ୍ୟ ପକ୍ଷରେ ରାସ୍ତା କଡରେ, ଠେଲାରେ ଯେଉଁ ମାନେ ଛୋଟିଆ ବ୍ୟବସାୟ ଆଦି କରି ପରିବାର ପ୍ରତିପୋଷଣ କରନ୍ତି ସେମାନେ ବେରୋଜଗାରିଆ ହୋଇ ଚିନ୍ତାରେ ରହିଛନ୍ତି । ସେହିପରି ଡ୍ରାଇଭର, ହେଲପର, ଅଟୋ ଚାଳକ, ରିକ୍ସା ଚାଳକ, ମେକାନିକ ତଥା ବିଭିନ୍ନ କ୍ଷେତ୍ରରେ ଚାକିରୀ କରୁଥିବା ଲୋକେ ମଧ୍ୟ ନିଜର ଜୀବନ ଜୀବିକାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅନିର୍ଦ୍ଦିଷ୍ଟ ସଟ୍‌ ଡାଉନର ସମୟ ଅବଧିକୁ ନେଇ ସେମାନଙ୍କୁ ଦୁଃଶିନ୍ତା ଘାରୁଛି । ବିଶେଷଜ୍ଞ ମାନେ ବିଭିନ୍ନ ଗଣ ମାଧ୍ୟମରେ ମତ ଦେଉଛନ୍ତି ଯେ ଲୋକ ସଂଖ୍ୟା, ସ୍ଥାନର ଆୟତନ, ଜନବସତିର ଘନତ୍ଵ ତଥା ଅର୍ଥନୈତିକ ସ୍ଥିତିକୁ ବିଚାରକୁ ନେଇ ଭିନ୍ନ ଭିନ୍ନ ସ୍ଥାନର ଷ୍ଟ୍ରାଟେଜିରେ ଭିନ୍ନତା ରଖିବାକୁ ହେବ । ପୁଣି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୋନାର ଭୟାବହତା ଭିତରେ ଲୋକଙ୍କ ଜୀବନ ଜୀବିକାର ଯେପରି ପ୍ରଭାବିତ ନହେବ ସେଥିପାଇଁ ଚିନ୍ତା ପ୍ରକଟ କରୁଛନ୍ତି । ପଦ୍ମପୁର ପ୍ରଶାସନ ବାସ୍ତବତାକୁ ଗୁରୁତ୍ୱ ଦେଇ ସଟ୍‌ ଡାଉନର ଷ୍ଟ୍ରାଟେଜିକୁ ବଦଳାଇବାର ଜରୁରୀ ମନେ ହେଉଛି । ତିନି ଘଣ୍ଟା ପାଇଁ ପନିପରିବାର ହାଟ ଖୋଲା ଯାଉଛି । ଭିଡକୁ ଦେଖି ସ୍ଥାନ ପରିବର୍ତ୍ତନ କରାଯାଉଛି କିନ୍ତୁ ପରିସ୍ଥିତିକୁ ସୁହାଇବା ଭଳି ଭିତ୍ତିଭୂମି ସୃଷ୍ଟିର ଅଭାବ ଦେଖାଯାଉଛି । ପ୍ରଶାସନ ତରଫରୁ କେବଳ ମଝି ମଝିରେ କିଛି ସରକାରୀ ପ୍ରତିଷ୍ଠାନକୁ ସାନିଟାଇଜ(ବିଶୋଧନ) କରାଯାଉଛି, ହେଲେ ସହରର ଅନେକ ଜରୁରୀ ସ୍ଥାନକୁ ଏଥି ପାଇଁ ଗୁରୁତ୍ୱ ଦିଆଯାଉ ନାହିଁ । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସୀମିତ ସମ୍ବଳ ଭିତରେ ସହରର ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ପ୍ରୟାସ ଚାଳିଛି ସତ, ହେଲେ ଆବଶ୍ୟକତା ଅନୁଯାୟୀ ସମ୍ବଳର ବିକାଶ ପାଇଁ କୌଣସି ଯୋଜନା ହାତକୁ ନିଆଯାଉ ନାହିଁ । ସହରର ଏଠି ସେଠି ଅଳିଆ ଗଦା ଜମା ହୋଇ ରହିଛି । ନାଳ ଗୁଡିକ ନିୟମିତ ଭାବେ ସଫା କରା ଯାଉନାହିଁ । ବ୍ଲିଚିଙ୍ଗ ପାଉଡର, ମଶାତେଲ, ଫିନେଲ ଆଦି ଠିକ ଭାବେ ବ୍ୟବହାର କରାଯାଉନାହିଁ । କରୋନା ସଂକ୍ରମଣକୁ ନେଇ ସେପରି ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ । କରୋନା ସଂକ୍ରମଣକୁ ରୋକିବା ପାଇଁ ସଟଡାଉନ ନିଶ୍ଚିତ ଭାବେ ଜରୁରୀ, ତା’ ସହିତ ଜରୁରୀ ମଧ୍ୟ ଏକ ସଠିକ ଷ୍ଟ୍ରାଟେଜି । ଏଇ ଦୃଷ୍ଟି କୋଣରୁ ପଦ୍ମପୁର ପ୍ରଶାସନ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଆଲୋଚନା ମାଧ୍ୟମରେ ସଠିକ ଷ୍ଟ୍ରାଟେଜି ନିରୂପଣ କରିବା ଠିକ ହେବ ବୋଲି ମନେହୁଏ ।

Leave A Reply

Your email address will not be published.

seventeen − 17 =