
ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ପ୍ରକାଶିତ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ପରୀକ୍ଷାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ମାଣ୍ଡୋସିଲ ଅଞ୍ଚଳର ଦୁଇଜଣ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେମାନେ ହେଲେ ଆର୍ୟନ ଖୁଣ୍ଟିଆ ଓ ଆଦ୍ୟାଶା ଖୁଣ୍ଟିଆ । ପ୍ରକାଶିତ ଫଳାଫଳ ଅନୁସାରେ ଆର୍ୟନ ଖୁଣ୍ଟିଆ ୬୩୫.୪ ନମ୍ବର ଏବଂ ଆଦ୍ୟାଶା ଖୁଣ୍ଟିଆ ୬୧୫.୧ ନମ୍ବର ପାଇ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ଆର୍ୟନ ମାଣ୍ଡୋସିଲ ନିବାସୀ ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆଙ୍କ ପୁଅ ହୋଇଥିବା ବେଳେ ଆଦ୍ୟାଶା ବ୍ୟବସାୟୀ ବିରେନ୍ଦ୍ର ଖୁଣ୍ଟିଆଙ୍କ ଝିଅ ଅଟନ୍ତି । ଉଭୟ ଛାତ୍ରଛାତ୍ରୀ ମାଣ୍ଡୋସିଲ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ବରଗଡ଼ର କ୍ରୀଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ଯୁକ୍ତ ଦୁଇ ପାଠ ପଢୁଥିଲେ । ନିୟମିତ ପରିଶ୍ରମ, ଅଧ୍ୟବସାୟ ଏବଂ ଶିକ୍ଷକମାନଙ୍କ ମାର୍ଗଦର୍ଶନ ଯୋଗୁଁ ସେମାନେ ଏହି ସଫଳତା ହାସଲ କରିଥିବା କୁହାଯାଇଛି । ଏହି କୃତିତ୍ୱ ପାଇଁ ଉଭୟ ଛାତ୍ରଛାତ୍ରୀଙ୍କୁ ଅଞ୍ଚଳବାସୀ, ଶିକ୍ଷକ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ସେମାନଙ୍କ ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ।
