‘କୋଶଳ ପ୍ରବାହ’ ପ୍ରଭାବ : ମାନସିକ ବିକୃତା ମହିଳା ଖାଉଛନ୍ତି ପଚାସଢା ଖାଦ୍ୟ ଘଟଣା – ସମ୍ବଲପୁର ପରିଚୟ ଅନୁଷ୍ଠାନ ପକ୍ଷରୁ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକଦା ଭୋକର ଭୂଗୋଳ ଭାବରେ ପରିଗଣିତ ହେଉଥିବା ବେଳେ ଏବେ ପୁଣି ଭୋକର କରୁଣ ଚିତ୍ର ଗତକାଲି ସାମ୍ନାକୁ ଆସିଥିଲା । ଜଣେ ମାନସିକ ବିକୃତା ମହିଳା ଖାଉଛନ୍ତି ପଚାସଢା ଖାଦ୍ୟ ପ୍ରସଂଗରେ ଗତକାଲି ‘କୋଶଳ ପ୍ରବାହ’ରେ ଖବର ପ୍ରସାରିତ ହୋଇଥିଲା । ତେବେ ଖବର ପାଇବା ପରେ ଆଜି ସମ୍ବଲପୁର ପରିଚୟ ଅନୁଷ୍ଠାନର ସଦସ୍ୟ ବିପିନ ବିହାରୀ ପଣ୍ଡା ଆସି ଏହି ମହିଳା ଜଣଙ୍କୁ ଉଦ୍ଧାର କରିଛନ୍ତି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରସଂଶାର ସୁଅ ଛୁଟୁଛି । ତେବେ ଅସହାୟ ମହିଳା ଅଳିଆ ଗଦାରୁ ଖାଦ୍ୟ ଖୋଜି ପଚିସଢ଼ି ଯାଇଥିବା ଖାଦ୍ୟ ଗୋଟାଇ ଖାଉଥିବାର ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଫେଲ ମାରିଥିବା ଲୋକେ ଆଲୋଚନା କରୁଛନ୍ତି । ଏହା ଆମ ସଭ୍ୟ ସମାଜକୁ ବିଚଳିତ କରିବ ନିଶ୍ଚୟ । ଗରିବ ଅସହାୟଙ୍କ ପାଇଁ ଥିବା ସରକାରୀ ଯୋଜନାର ରୂପାୟନ ଉପରେ ପ୍ରଶ୍ନ ଛିଡା କରିଛି ଏହି ଘଟଣା । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ-୨୬ ମହଗାଁ ନିକଟରୁ ଏଭଳି ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଗତକାଲି ଆସିଥିଲା । ଆଜି ସମ୍ବଲପୁର ପରିଚୟ ଅନୁଷ୍ଠାନର ସଦସ୍ୟ ଶ୍ରୀ ପଣ୍ଡା ଆସି ଏହି ମହିଳା ଜଣଙ୍କୁ ଉଦ୍ଧାର କରିବା ପରେ ଅଂଚଳବାସୀ ଖବର ପ୍ରକାଶ କରିଥିବା ‘କୋଶଳ ପ୍ରବାହ’କୁ ତଥା ପରିଚୟ ଅନୁଷ୍ଠାନକୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

17 + eight =