
ଜୟପାଟଣା, (ଶେଷଦେବ ବେହେରା : ଜୟପାଟଣା ସହର ସ୍ଥିତ ମା’ ଡୋକରୀ ଦେବୀଙ୍କ ଶକ୍ତିପୀଠ ଠାରେ ଚଳିତ ବର୍ଷର କୃଷି ଭିତ୍ତିକ ମଣ୍ଡେଇ ପର୍ବ ଅନୁଷ୍ଠିତ ହୋଇଯାଇଛି । ବର୍ଷ ବର୍ଷ ଧରି କୃଷି କର୍ମ ଉପରେ ନିର୍ଭର ସହ ନିଜକୁ ସମର୍ପିତ କରିଥିବା କୃଷକ ଓ କୃଷି କର୍ମୀ ପରିବାର ନିମନ୍ତେ ଶ୍ରଦ୍ଧା ଓ ଭକ୍ତିର ଏହି ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣା ସାଜିଥାଏ । ଅଂଚଳର ସମସ୍ତ ଦେବଦେବୀ ବିଭିନ୍ନ ଆଭୂଷଣ ଓ ନିଜ ନିଜର ସ୍ଵତନ୍ତ୍ର ବାଦ୍ୟ ଯନ୍ତ୍ର ସହିତ ଜୟପାଟଣା ସହରର ଉପକଣ୍ଠରେ ପ୍ରବେଶ କଲା ପରେ ଭବ୍ୟ ସ୍ୱାଗତ କରାଯାଇ ପାଛୋଟି ନିଆଯାଇ ଥାଏ । ବର୍ଷକୁ ଥରେ ଗୁରୁବାର ଦିନ ହିଁ ଏହି ପର୍ବ ପଡ଼ୁଥିବା ବେଳେ ସେହି ଦିନ ସାପ୍ତାହିକ ବଜାର ମଧ୍ୟ ମାଆଙ୍କ ପୀଠ ପାର୍ଶ୍ଵରେ ଅନୁଷ୍ଠିତ ହେଇଥାଏ । ସମସ୍ତ ଦେବ ଦେବୀ ନିଜ ନିଜର ଲାଠି, ଗାଦି ସହିତ ମାଆଙ୍କ ପୀଠରେ ପ୍ରବେଶ କରୁଥିବାର ଦୃଶ୍ୟକୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିର ସହିତ ସ୍ଵାଗତ କରିଥାନ୍ତି । ପାରମ୍ପରିକ ଏହି ପାର୍ବଣରେ ଦେବୀମାନେ ଅଞ୍ଚଳ ପାଇଁ ସୁସ୍ଥ ମୌସୁମୀ ଓ ଭରପୁର ଶସ୍ୟ ଉତ୍ପାଦନ ପାଇଁ ଆଶୀର୍ବାଦ କରିଥାନ୍ତି । ମାଆଙ୍କ ଏହା ତନ୍ତ୍ରପୀଠ ହୋଇ ଥିବାରୁ ମାନସିକଧାରୀ ମାନେ ଛାଗ, କୁକୁଡ଼ା, ପାରା ଆଦି ବଳି ଦେଇଥାନ୍ତି । ପରଦିନ ସମସ୍ତ ଦେବ ଦେବୀ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଚଳିତ ବର୍ଷର ମଣ୍ଡେଇ ପର୍ବ ଶୃଙ୍ଖଳିତ ଭାବରେ ସମସ୍ତଙ୍କ ସହଯୋଗରେ ସମ୍ପାଦିତ ହୋଇଥିବାରୁ ପରିଚାଳନା କମିଟି ସମସ୍ତ ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।
