
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର ହାତ ବଢ଼ାଯାଇଛି । ସୂଚନାଯୋଗ୍ୟ ଯେ, ସମ୍ପ୍ରଦାୟ ବାହାରେ ପୁଅ ବିବାହ କରିଥିବା ଦର୍ଶାଇ ଗ୍ରାମବାସୀ ଜଣେ ବୃଦ୍ଧାଙ୍କ ଶେଷକୃତ୍ୟରେ ସହଯୋଗ କରିବାକୁ ମନା କରିଦେଇଥିଲେ । ଯାହାଫଳରେ ପରିବାର ଲୋକଙ୍କୁ ବୃଦ୍ଧଙ୍କ ଶବକୁ ସାଇକେଲରେ ବୋହିବାକୁ ପଡ଼ିଥିଲା । ଏହି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଡ଼ିତ ପରିବାରକୁ ତୁରନ୍ତ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପାଇକମାଲ ତହସିଲଦାର ସିନ୍ଧୁସୂତା ପାତ୍ର କଣ୍ଟାପଡ଼ା ଗ୍ରାମରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଏହି ସହାୟତା ରାଶିର ଚେକ୍ ହସ୍ତାନ୍ତର କରିଛନ୍ତି । ଏହା ସହିତ ପାଇକମାଲ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ପରିବାରକୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇଛି । ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୩,୦୦୦ ଟଙ୍କା ଏବଂ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଜରୁରୀକାଳୀନ ଖାଦ୍ୟ ସହାୟତା ସ୍ୱରୂପ ୫୦ କିଲୋଗ୍ରାମ ଚାଉଳ ମଧ୍ୟ ପରିବାରର ସମ୍ପର୍କୀୟଙ୍କୁ ଭେଟି ପ୍ରଦାନ କରାଯାଇଛି ।
