csstore

ଖବର ପ୍ରସାରିତ ପରେ ପ୍ରଶାସନିକ ତତ୍ପରତା

  • ସର୍ଗିଗୁଡା ଛାତ୍ରୀ ନିବାସ ଅସୁରକ୍ଷିତ ଘୋଷଣା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତ ମହକୁମାରେ ଅବସ୍ଥିତ ସର୍ଗିଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଅସୁରକ୍ଷିତ ଘୋଷଣା ଖବର ପ୍ରକାଶିତ ହେବାର କିଛି ଘଣ୍ଟା ପରେ ପ୍ରଶାସନ ସକ୍ରିୟ ହୋଇ ପଡିଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ତିନୋଟି କୋଠରୀ ଖାଲି କରାଯାଇ ସେଠାରେ ଅସ୍ଥାୟୀ ଛାତ୍ରୀ ନିବାସ ଆରମ୍ଭ କରାଯିବା ପାଇଁ ନିଷ୍ପତ୍ତିକୁ ଚୁଡାନ୍ତ କରିବା ସହ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଛାତ୍ରୀମାନେ ଅସ୍ଥାୟୀ ଛାତ୍ରୀ ନିବାସରେ ରହିବେ ବୋଲି ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଷୀ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ପ୍ରକାଶିତ ଖବରକୁ ଆଧାର କରି ଆଦିବାସୀ ମହାସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋଜ କୁମାର ପାତ୍ର, ଓଡ଼ିଶା ଦକ୍ଷିଣ ଭାଗ ସଭାପତି ଗଙ୍ଗାଧର ମାଝୀ, ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାପତି ବିଜୟ କୁମାର ଦିସାରୀ ପ୍ରମୁଖ ଜୟପାଟଣା ବିଡିଓ ଧର୍ମରାଜ ମାଝୀଙ୍କୁ ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ପ୍ରଦାନ କରି ସମାଧାନର ରାସ୍ତା ବାହାର କରିବା ପାଇଁ ଦାବୀ କରିଥିଲେ । ବିଡିଓ ଶ୍ରୀ ମାଝୀଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଦୁଇଟି ଶୌଚାଳୟ ଓ ଗାଧୁଆ ଘର ସହିତ ଭଙ୍ଗା ପାଚେରୀର ନିର୍ମାଣ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ପର୍ଯ୍ୟାପ୍ତ ପରିମାଣରେ କୋଠରୀ ନ ଥିବାବେଳେ ଏବେ ସେହି ସିମିତ ଭିତ୍ତିଭୂମିରେ ଦୀର୍ଘ ଦିନ ପାଇଁ ଛାତ୍ରୀ ନିବାସ ଦୀର୍ଘ ସ୍ଥାୟୀ ହେଲେ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେବ ବୋଲି ଆଲୋଚନା ହେଉଛି । ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ନୂଆ ଛାତ୍ରୀ ନିବାସ ତିଆରି ପାଇଁ ଅଭିଭାବକମାନେ ଦାବୀ କରିଛନ୍ତି । ଛାତ୍ରୀମାନଙ୍କ ସ୍ଥାନାନ୍ତର ପ୍ରକ୍ରିୟାକୁ ଚୁଡାନ୍ତ କରିବା ପାଇଁ ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଷୀ ଚାରି ଜଣ ସିଆରସିସି ଅନନ୍ତ ନାରାୟଣ ପଣ୍ଡା, ସନ୍ତୋଷ କୁମାର ରଥ, ସିଦ୍ଧେଶ୍ୱର ନାଗ, ବେଦବର ନିଆଲ ସ୍ଥାନାନ୍ତର କାର୍ଯ୍ୟ ତଦାରଖ କରୁଥିବାର ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.