jayashree

ସାଇବର୍ ଠକଙ୍କ ଠାରୁ ସାବଧାନ ରହିବାକୁ ପରାମର୍ଶ ଦେଲେ ଗଞ୍ଜାମ ଏସ୍‌ପି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବରିଷ୍ଠ ନାଗରିକଙ୍କ ପାଇଁ ଆୟୋଜିତ ହୋଇଛି ସାଇବର ସଚେତନତା କାର୍ଯ୍ୟକ୍ରମ । ଶିବ କୁମାର ପଟ୍ଟନାୟକ ରିଡିଂରୁମ୍ ପରିସରରେ ଆୟୋଜିତ ଏହି ସମାବେଶରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗଞ୍ଜାମ ଏସ୍‌ପି ହରିଶ ବିସି ଯୋଗଦେଇ ସାଇବର ଅପରାଧୀମାନେ କିଭଳି ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକେଇ କରୁଛନ୍ତି, ସେନେଇ ବରିଷ୍ଠ ନାଗରିକଙ୍କୁ ସଚେତନ କରିଥିଲେ । ଅଜଣା ଫୋନ୍ କଲ୍, ମେସେଜ୍ କିମ୍ବା ଲିଙ୍କ୍‌ରେ ଭରସା ନକରିବା ସହ ନିଜର ବ୍ୟାଙ୍କିଂ ଓ ବ୍ୟକ୍ତିଗତ ତଥ୍ୟ କାହାରିକୁ ନଦେବାକୁ ସେ ପରାମର୍ଶ ଦେଇଥିଲେ । ବିଶେଷକରି ଏଟିଏମ୍ କାର୍ଡ ନମ୍ବର, ଓଟିପି, ଆଧାର ନମ୍ବର, ପିନ୍ ଏବଂ ଫୋନ୍‌ପେ, ଗୁଗଲ୍‌ ପେ ଭଳି ଡିଜିଟାଲ୍ ପେମେଣ୍ଟ ସମ୍ପର୍କିତ ତଥ୍ୟ କାହାରି ସହ ଶେୟାର ନକରିବାକୁ ପୋଲିସ ପକ୍ଷରୁ ସତର୍କ କରାଯାଇଥିଲା । ଏହି ସଚେତନତା ସଭାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ଉପସଭାପତି ପ୍ରଶାନ୍ତ ଶତପଥୀ, ସମ୍ପାଦକ ସୋମନାଥ ସାହୁଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ସାଇବର ଥାନା ଆଇଆଇସି ଜ୍ୟୋତି ରଞ୍ଜନ ବେହେରା, ଛତ୍ରପୁର ଆଦର୍ଶ ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ, ଏସ୍‌ଡିପିଓ ଚନ୍ଦନ ଘଡ଼େଇ ଏବଂ ସାଇବର ଥାନା ଉପ-ସହ ନିରୀକ୍ଷକ କୀରଣ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ସଚେତନ କରିଥିଲେ । ବରିଷ୍ଠ ନାଗରିକମାନେ ମୋବାଇଲ୍ ଓ ଅନଲାଇନ୍ କାରବାର ସମୟରେ ଅଧିକ ସତର୍କ ରହିଲେ ସାଇବର ଠକେଇକୁ ଅନେକାଂଶରେ ରୋକାଯାଇପାରିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.