
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସତ୍ୟବାଦୀ ହାଇସ୍କୁଲ ଧଣ୍ଡାମାଲର ଖେଳ ଶିକ୍ଷକ ମଦନ ମୋହନ ଭୋଇ (୫୨)ଙ୍କ ଶୁକ୍ରବାର ସକାଳେ ଅକାଳ ବିୟୋଗ ଘଟିଛି । ଶେଷ ସମୟରେ ତାଙ୍କ ପତ୍ନୀ ପଦ୍ମିନୀ ଭୋଇଙ୍କ ସହ ଏକ ମାତ୍ର ପୁଅ ଅଂଶୁମାନ ଓ ଝିଅ ନିହା ଉପସ୍ଥିତ ଥିଲେ । ତାଙ୍କର ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ବିଦ୍ୟାଳୟ ପରିବାର, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଭୋଇ ଜଣେ ଦକ୍ଷ, କର୍ତ୍ତବ୍ୟ ନିଷ୍ଠ ଓ ଛାତ୍ର ବତ୍ସଳ ଖେଳ ଶିକ୍ଷକ ଭାବେ ପରିଚିତ ଥିଲେ। ତାଙ୍କର ସରଳ ବ୍ୟକ୍ତିତ୍ୱ, ନମ୍ର ବ୍ୟବହାର ଏବଂ ଖେଳ ପ୍ରତି ନିଷ୍ଠା ଅନେକ ଛାତ୍ର, ଛାତ୍ରୀଙ୍କୁ ପ୍ରେରଣା ଦେଇଥିଲା । ବିଦ୍ୟାଳୟର କ୍ରୀଡ଼ା ବିକାଶରେ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ । ତାଙ୍କ ବିୟୋଗରେ ସହକର୍ମୀ, ପୂର୍ବତନ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ, ଅଭିଭାବକ ତଥା ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିବା ବେଳେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଯାଇଛି । ଗାଁ ଶ୍ମଶାନରେ ଶେଷ କୃତ୍ୟ କରାଯାଇଥିଲା । ଏକ ମାତ୍ର ପୁଅ ଅଂଶୁମାନ ମୁଖାଗ୍ନୀ ଦେଇଥିଲେ ।

